ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ଦିନ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଆନୁକୂଲ୍ୟରେ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ସବଳ ତରଫରୁ ମିଳିତ ସୌଜନ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ପୂର୍ବାହ୍ନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ବ୍ୟକ୍ତି ବିଶେଷଙ୍କ ଦ୍ଵାରା ଛତ୍ରପୁର ସହର ପରିକ୍ରମା ହୋଇଥିଲା । ଉକ୍ତ ଶୋଭାଯାତ୍ରା/ରାଲିକୁ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ପତକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ରାଲି ଶେଷରେ ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା । ସେଠାରେ ଏକ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୩ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ନିର୍ଦ୍ଦେଶକ ଭି. ଅଜିତ ରାଜୁ ଯୋଗଦେଇ ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ, ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ଷ୍ଟେସନର ଦୁର୍ଗପତି ପ୍ରତୀପ ମୋଦକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଟାଟା ଷ୍ଟିଲର ଜିଲ୍ଲା ମୁଖ୍ୟ ରକି ମାର୍ଟିନ ଯୋଗଦେଇ ଗଞ୍ଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ଟାଟା ଷ୍ଟିଲ ଫାଉଣ୍ଡେସନ ଓ ସବଳ ତରଫରୁ ସପ୍ତାହ ବ୍ୟାପୀ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କିପରି ପାଳନ ହେଉଥିଲା ଓ ସେଥିରେ “ସମର୍ଥ”ର ଭୂମିକା ଉପରେ ପ୍ରଶଂସନୀୟତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ପ୍ରଫୁଲ ଚନ୍ଦ୍ର ଗୌଡ଼ ଏବଂ ମଲାଡର ଚିକିତ୍ସାଧିକାରୀ ଡକ୍ଟର ସରୋଜିନୀ ସେଠୀ, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ. ଗୋପାଲ ରାଓ ପ୍ରମୁଖ ଯୋଗଦେଇ ବିଶ୍ୱ-ଭିନ୍ନକ୍ଷମ ଦିବସର ମହତ୍ତ୍ୱକୁ ପ୍ରତିପାଦନ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଲୋକମାନେ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ । ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ସୁଦର୍ଶନ ପାଢ଼ୀ ଓ ଡି. ସରସ୍ଵତୀ ରେଡ୍ଡୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।
ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ତଥା ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ସମାଜସେବୀ ଧୋବା ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ଉପଢୌକନ ସହ ପୁଷ୍ପଗୁଚ୍ଛରେ ସମ୍ମାନୀତ କରାଯାଇଥିଲା । ଏଥିସହ ଛତ୍ରପୁର ସାମ୍ବାଦିକ ସଂଘର ସାମ୍ବାଦିକଙ୍କୁ ମଧ୍ୟ ଏହି ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.