ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୁଆନ୍‌ପାଲି ଗ୍ରାମରେ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଦୁଆନ୍‌ପାଲି ଗ୍ରାମରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଆଜି ସକାଳେ ଚନ୍ଦନଭାଟିଠାରୁ ଦୁଆନ୍‌ପାଲି ଦେଇ ହର୍ଡାଟାଲକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ସେମାନେ ଅବରୋଧ କରିଥିଲେ । ଏହି ରାସ୍ତାରେ ହାଇୱା ଗାଡ଼ି ଭଳି ଭାରିଯାନ ଚଳାଚଳକୁ ବନ୍ଦ କରିବାକୁ ଦାବି କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ରାସ୍ତାରେ ୯ ଟନ୍‌ରୁ ଅଧିକ ଓଜନର ଯାନବାହାନ ଚଳାଚଳ କରିବା ଉପରେ କଟକଣା ରହିଛି । ହେଲେ ବାଲି, ଗେଟି, ପଥର ଚୋରା ଚାଲାଣ କରୁଥିବା ଗାଡ଼ି ମାଲିକମାନେ ଏହାକୁ ଗଳା ବାଟ ଭାବରେ ବ୍ୟବହାର କରୁଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ହାଇୱା ଗାଡ଼ି ଯାତାୟାତ କରୁଛି । ଏହା ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସେମାନେ କହିଥିଲେ । ଏ ନେଇ ପୁଲିସକୁ ଜଣାଇବା ପରେ ବି ସେମାନେ କିଛି ଶୁଣୁ ନଥିବା ଅଭିଯୋଗ କରିଥିଲେ । ଗତକାଲି ହାଇୱା ଧକ୍କାରେ ଏହି ଗ୍ରାମର ସବିତା ଛତ୍ରିଆଙ୍କ ମୃତ୍ୟୁ ହୋଇଛି । ଆଉ କେତେ ମୁଣ୍ଡ ଗଡ଼ିଲେ ପ୍ରଶାସନର ଚେତା ପଶିବା ବୋଲି ସମବେତ ଗ୍ରାମବାସୀ ପ୍ରଶ୍ନ କରିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ସଦର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.