ଭିଜିଲାନ୍ସକୁ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) – ଦେଓଗାଁ ବ୍ଲକରେ ବିଭିନ୍ନ ଦୁର୍ନୀତି ଦର୍ଶାଇ ସୂଚନା ଅଧିକାର କର୍ମୀ ମଙ୍ଗନ ରାଏ ଭିଜିଲାନ୍ସ ଡିଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଦୋଷୀ କର୍ମଚାରୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ପ୍ରକାଶ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଆର୍ଥିକ ବର୍ଷ ୨୦୧୬-୧୭ ରେ ଦେଓଗାଁ ବ୍ଲକର ଉଡାର ଗ୍ରାମ ପଞ୍ଚାୟତରେ ବନୀକରଣ ଓ ସ୍କୁଲ ଉନ୍ନତିକରଣ ବାବଦକୁ ଗୁଡାଏ ଖର୍ଚ୍ଚ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଥିଲା । ଶ୍ରୀ ରାଏ ସରକାରୀ ରିପୋର୍ଟ ପାଇବା ପରେ, ସେଠାରେ ତା୦୬-୧୧-୨୦ରେ ଏସମ୍ବନ୍ଧୀୟ କୌଣସି କାମ ହୋଇ ନଥିବା ନେଇ ଜିଲ୍ଲାପାଳଙ୍କୁ ତଥ୍ୟ ସହିତ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ, ସେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଉକ୍ତ ଅଭିଯୋଗ ପତ୍ରରେ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତରେ ବା‌ର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପ୍ରଦାନରେ ବ୍ୟାପକ ଦୁର୍ନୀତି ହେଉଥିବା ଶ୍ରୀ ରାଏ ପ୍ରକାଶ କରିଛନ୍ତି । ବିଗତ ଦୁଇ ତିନି ବର୍ଷ ହେବ ନୂତନ ଆବେଦନକାରୀଙ୍କୁ ସରକାରୀ ସହୟତା ଦିଆ ଯାଉନଥିବା ବେଳେ ପ୍ରାୟ ୫୬ ଜଣ ମୃତ ହିତାଧୀକାରୀଙ୍କ ନାଁରେ ବା‌ର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପଇସା ଦିଆ ଯାଉଥିବା ଶ୍ରୀ ରାଏ ପ୍ରକାଶ କରିଛନ୍ତି ।

ତେବେ ଏସଂପର୍କରେ ବିଭାଗୀୟ ତଦନ୍ତ କରିବା ସହିତ ଘଟଣାର ଦୋଷୀ କର୍ମଚାରୀମାନଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ରାଏ ଜିଲ୍ଲା ଭିଜିଲାନ୍ସ ଡିଏସପିଙ୍କ ପାଖରେ ଦାବୀ ଜଣାଇଛନ୍ତି । ଆହୁରି ଗତ ଚାରି ବର୍ଷରେ ଦେଓଗାଁ ବ୍ଲକରେ ଜଙ୍ଗଲ ଜନ୍ତୁ ଦ୍ୱାରା ଫସଲ ନଷ୍ଟ ବାବଦକୁ ଆସିଥିବା ସରକାରୀ ସହାୟତା ଓ ବଲାଙ୍ଗିର ଜିଲ୍ଲାରେ ଶିକ୍ଷା ସହାୟକ ନିଯୁକ୍ତି ନେଇ ସେ ସରକାରଙ୍କୁ ସୂଚନା ମାଗିଥିବା ବେଳେ ସୂଚନା ପ୍ରଦାନ କରିବାରେ ତାଙ୍କୁ ବାରମ୍ବାର ହଇରାଣ କରାଯାଉଛି । ଏ ସଂପର୍କରେ ତାଙ୍କୁ ସଂପୁର୍ଣ୍ଣ ସୂଚନା ମିଳିବା ପରେ ସେ ଏହାର ସତ୍ୟାସତ୍ୟ ସାଧାରଣରେ ପ୍ରକାଶ କରିବେ ବୋଲି ଶ୍ରୀ ରାଏ କହିଛନ୍ତି ।

Leave A Reply

Your email address will not be published.