ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଗଞ୍ଜାମ ଚାଷୀଙ୍କ ହିତ-ସାଧନ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ : ରାଜ୍ୟ କଂଗ୍ରେସ କୃଷକ ସେଲ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଗ୍ରାସ କରିଥିବା କହି ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ କୃଷକ ସେଲ୍ । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ କୃଷକ ସେଲ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି ଜିଲ୍ଲା ପ୍ରଶାସନ ସହ ଦୀର୍ଘ ସମୟ ଧରି ବିଶଦ ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଆୟୁଷୀ ପତି ପ୍ରତିନିଧି ମଣ୍ଡଳୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା ଏବଂ ସହକାରୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି-ଅଧିକାରୀ ସୁବ୍ରତ କୁମାର ସାହୁ, ଜିଲ୍ଲା ଉଦ୍ୟାନ ଅଧିକାରୀଙ୍କ ସମେତ ଆଲୋଚନାର ଦୃଷ୍ଟିପାତ କରିଥିଲେ । ଓଡ଼ିଶା କୃଷକ ସେଲ ସଭାପତି ଅମୀୟ କୁମାର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ସାଇ ପ୍ରସାଦ ପାତ୍ର, ଜିଲ୍ଲା ସମ୍ପାଦକ ରାମ ନାରାୟଣ ବିଶ୍ୱାସ ରାୟ, ଜିଲ୍ଲା କୃଷକ ସଭାପତି ଶ୍ୟାମ ସୁନ୍ଦର ଦୋରା, ଓଡ଼ିଶା କୃଷକ ସଂଘ ଉପ-ସଭାପତି ବୃନ୍ଦାବନ ଖଟେଇ ପ୍ରମୁଖ ଜିଲ୍ଲା-ପ୍ରଶାସନ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସନ୍ଧ୍ୟା ୭ ଘଣ୍ଟା ୩୦ ମିନଟ ମଧ୍ୟରେ ହୋଇଥିବା ଆଲୋଚନାର ବିଷୟ ବସ୍ତୁ ମଧ୍ୟରେ ଉପସ୍ଥାପିତ ହୋଇଛି, ଯେ’ଘୋଡାହାଡ଼, ଜାନିବିଲ, ଜୟମଙ୍ଗଳ କେନାଲର ସଂପ୍ରସାରଣ କରାଯାଇ ଜଳସେଚନ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯାଉ । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା, ବାହୁଦା, ବଡ଼ନଦୀ ଆଦି ନଦୀସମୂହକୁ ସଂଯୋଗୀକରଣ କରାଯିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି । ଖୁବଶୀଘ୍ର ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେଇ ଜିଲ୍ଲାର ସମସ୍ତ ନଦୀ ସହ ସଂଯୋଗୀକରଣ କରିବା ସାଂଗକୁ ଘୋଡାହାଡ଼, ଜାନିବିଲ, ଜୟମଙ୍ଗଳ କେନାଲର ସଂପ୍ରସାରଣ କରାଯାଉ, ସମସ୍ତ ବନ୍ଧ ଗୁଡ଼ିକର ସେଚ ପ୍ରକଳ୍ପ କରି ଚାଷୀମାନଙ୍କର ହିତ ସାଧନ କରାଯାଉ ବୋଲି ରାଜ୍ୟ କୃଷକ ସେଲ୍ ଦୃଢ଼ତାର ସହ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ରହିଥିବା ନଦୀବନ୍ଧ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ସମସ୍ତ ବନ୍ଧ ଓ ପୁଷ୍କରିଣୀକୁ ସେଚ ପ୍ରକଳ୍ପରେ ପରିଣତ କରାଯିବା ନେଇ ଦାବୀ ହୋଇଛି । ଏପରିକି ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଦେଖାଦେଇଥିବା ମରୁଡ଼ିର ପଦଧ୍ୱନୀ ଉପରେ ପ୍ରଶାସନ ଅନୁସନ୍ଧାନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଭରଣା କରାଯିବା ଆବଶ୍ୟକ ବୋଲି କୁହାଯାଇଛି । ଆଗାମୀ ଦିନର ରବି ଫସଲକୁ ତ୍ୱରାନ୍ୱିତ କରାଯିବା ସାଂଗକୁ ମାଗଣାରେ ବିହନ ଏବଂ ସରକାରୀ ସହାୟତା ପ୍ରଦାନ କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଗରେ ଦୃଷ୍ଟିଆକର୍ଷଣ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କୃଷିବିଭାଗ ଏହାକୁ ସହମତି ପ୍ରକାଶ କରିଥିବା ସାଂଗକୁ ରବି ଫସଲ ଉପରେ ଆଗାମୀ ଋତୁ ପାଇଁ ସରକାରୀ ସହୟତା କରିବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.