ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

  • ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଞ୍ଚଳିକ ବୈଷମ୍ୟକୁ ନେଇ ବିଧାନସଭାରେ ହେବ ବୋବାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତ୍ୟେକ ଅଧିବେଶ ପୂର୍ବରୁ ଲୋକଙ୍କ ମତକୁ ଜାଣିବା ପାଇଁ ଅଂଚଳର କଣ ସମସ୍ୟା ଅଛି ସେ ସବୁକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିଥାଏ । ବର୍ତ୍ତମାନ ଦେଖାଯାଉଛି ଯେ, ପ୍ରତ୍ୟେକ କ୍ଷେତ୍ରରେ ଆମ ଅଂଚଳକୁ ଅଣଦେଖା କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କୃଷି, କ୍ରୀଡା ଓ ଶିକ୍ଷା ଭିତ୍ତିଭୂମିରେ ଆଂଚଳିକ ବୈଷମ୍ୟ ଜଳଜଳ ହୋଇ ଦିଶୁଛି । ତେଣୁ ଆଗାମୀ ବିଧାନସଭାରେ ନିଶ୍ଚିତ ଭାବରେ ଆମ ଅଂଚଳର ଏ ସବୁ ସମସ୍ୟାକୁ ନେଇ ଜୋରଦାର ଲଢେଇ ହେବ । ଏହି ଲଢେଇ ଦାବୀ ହାସଲ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ବିଧାନସଭାକୁ ହୁଲସ୍ତୁଲ କରାଯିବ ବୋଲି ଆଜି ସ୍ଥାନୀୟ ହୋଟେଲ ସେଲିବ୍ରେସନର ସମ୍ମିଳନୀ କକ୍ଷରେ ବଲାଙ୍ଗିରର ନାଗରିକ ସମାଜ ସହ ଏକ ମତବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ପ୍ରତ୍ୟେକ ବିଧାନସଭା ଅଧିବେଶନ ପରେ ବିଧାୟକ ନିଜେ ବଲାଙ୍ଗିରର ବିଭିନ୍ନ ସାମାଜିକ ସଂଗଠନ, ଶିକ୍ଷାବିଦ୍‌, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କୁ ଏକ ମତବିନିମୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ତାଙ୍କଠାରୁ ମତାମତ ଗ୍ରହଣ କରିଥାନ୍ତି ଏବଂ ସେଥିରୁ ଉପଯୁକ୍ତ ପ୍ରସ୍ତାବକୁ ନେଇ ବିଧାନସଭାରେ ଉପସ୍ଥାପନ କରିଥାନ୍ତି । ଏହି ମତବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ବୁଦ୍ଧିଜୀବୀମାନେ ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ସମସ୍ୟାକୁ ନେଇ ବେଶ୍‌ ଆଲୋଚନା କରିଥିଲେ । ତା’ ସହ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ, ଆୟୁର୍ବେଦ ଚିକିତ୍ସାରେ ଉନ୍ନତି, ରୋଡ ରାସ୍ତା, ଟ୍ରାଫିକ ସମସ୍ୟା, ବେରୋଜଗାରୀ ସମସ୍ୟା, ବନ୍ଧକଟାକୁ ଆସିଥିବା ଅନୁଦାନ ଖର୍ଚ୍ଚ ନ ହୋଇ ପଡି ରହିବା ଏ ସବୁ ଉପରେ ଆଲୋଚନା ହୋଇଥିଲା । ଏ ସବୁ ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଗତ ବିଧାନସଭା ପରି ଏଥର ମଧ୍ୟ ବିଧାନସଭାରେ ସେ ନିଶ୍ଚିତ ଭାବରେ ସେ ଲୋକଙ୍କ ଦାବୀ ମୁତାବକ ଉଚିତ ପ୍ରସ୍ତାବଗୁଡିକୁ ଗୃହରେ ଆଲୋଚନା କରିବେ କିନ୍ତୁ ଯାହା କିଛି ବି ଦାବୀ ଅଛି ତା’ସହ ସରକାରଙ୍କ ଦ୍ୱାରା ଅଣଦେଖା ହୋଇ ପଡି ରହିଥିବା ପ୍ରକଳ୍ପ ଗୁଡିକର କାମ ଆରମ୍ଭ କରିବାକୁ ନେଇ ନାଗରିକ ସମାଜ ମଧ୍ୟ ପ୍ରତିକ୍ରିୟାଶୀଳ ହେବା ଦରକାର । ପ୍ରତିକ୍ରିୟାଶୀଳ ନ ହେଲେ ସରକାରଙ୍କ ଏପରି ଅବହେଳା ଜାରି ରହେ ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ବର୍ତ୍ତମାନ ପଶ୍ଚିମାଂଚଳରେ ସ୍ୱତନ୍ତ୍ର ରାଜ୍ୟ ଦାବୀ ପ୍ରଖର ହେଲାଣି । ଆମ ଅଂଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଏଥିପାଇଁ ଦାୟୀ । ତେଣୁ ସରକାର ସତର୍କ ଓ ସଚେତନ ରହିବା ଦରକାର । ଆଜିର ଆଲୋଚନା ସମୟରେ ଆମ ଅଂଚଳର ପ୍ରଖ୍ୟାତ ଲେଖକ ବ୍ରଜ ବିହାରୀଙ୍କ ପାଣ୍ଡୁଲିପି ଗୁଡିକୁ ପୁସ୍ତକରେ ପରିବର୍ତ୍ତିତ କରିବା ପାଇଁ ପ୍ରସ୍ତାବ ଆସିଥିଲା । ଯାହାକି ତାଙ୍କ ପରିବାରବର୍ଗଙ୍କ ପାଖରେ ଥିବା ପାଣ୍ଡୁଲିପି ପ୍ରଦାନ କଲେ ସେ ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ । ବିଭିନ୍ନ ଖାଲିଥିବା ପଦବୀ ପୁରଣ ସମସ୍ୟା, ମହାରାଣୀ ସାଗରକୁ ଆସିଥିବା ଅନୁଦାନ ଖର୍ଚ୍ଚ ନ ହୋଇ ପଡିରହିବା, ସିଭିଲକୋର୍ଟ ଓ ନୂତନ କଲେକ୍ଟ୍ରିଏଟ, କୋଠା ନିର୍ମାଣକୁ ନେଇ ମଧ୍ୟ ଉପସ୍ଥିତ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଆଜିର ଏହି ଆଲୋଚନା ସମୟରେ ପ୍ରଫେସର ମଧୁସୁଦନ ପତି, ଡ. ଏଲ୍‌କେ ମହାପାତ୍ର, ସୁଷମା ମଞ୍ଜରି ମହାପାତ୍ର, ଶୋଭନ ଅଗ୍ରୱାଲ, ରତନ ମହାରଣା, ଗୁରୁ ଘାସିରାମ ମିଶ୍ର, ଶିକ୍ଷାବିଦ୍‌ ପିତବାସ ପଣ୍ଡା, ପ୍ରଭାକର ମିଶ୍ର, ଡ. ପ୍ରେମଚାନ୍ଦ ମହାନ୍ତି, ଧର୍ମବ୍ରତ ରଥ, ସୁନିଲ ମହାନ୍ତି, ଗୋପଭୂଷଣ ନାଥ, ଗୋପବନ୍ଧୁ ପୁରୋହିତ ପ୍ରମୁଖ ନିଜ ମତାମତ ରଖିଥିବା ବେଳେ କାର୍ଯ୍ୟକ୍ରମକୁ ସମାଜିକ କର୍ମୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ପରିଚାଳନା କରିଥିଲେ ।

Leave A Reply

Your email address will not be published.