ବଲାଙ୍ଗିର କରଣ ସମାଜର ଚିତ୍ରଗୁପ୍ତ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି କରଣ ସମାଜ ତରଫରୁ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ତଥା ବାର୍ଷିକ ଅଧିବେଶନ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳେ ଏକ ବିରାଟ କଳସ ଶୋଭାଯାତ୍ରା କରି ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିରରେ ପହଂଚିଥିଲେ ଏବଂ ପୂଜାର୍ଚ୍ଚନା କରାହୋଇଥିଲା । ଏଥିରେ ବିଶ୍ୱଜିତ ଦାସ ଏବଂ ତାଙ୍କ ସହଧର୍ମିଣୀ ଭାରତୀ ଦାସ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ପରେ ବାର୍ଷିକ ଅଧିବେଶନ ସଭାପତି ପ୍ରୀତମ କୁମାର ବକ୍ସିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ଚିତ୍ର ପ୍ରତିମା ପୂଜନ ସଭା ଆରମ୍ଭ ହୋଇଥିଲା । ସଭାର ପ୍ରାରମ୍ଭରେ ସମାଜର ଦିବଙ୍ଗତ ସଦସ୍ୟ / ସଦସ୍ୟାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଅଶ୍ୱିନୀ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ମାନସ ବହିଦାର ଗତ ବର୍ଷର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ସମାଜର ବୟୋଜ୍ୟେଷ୍ଠମାନଙ୍କୁ ସମ୍ବର୍ଦ୍ଧିତ କରାହୋଇଥିଲା । କାଞ୍ଚନମଣୀ ଦାନୀ, ବିଜୟ କୁମାର ପଟ୍ଟନାୟକ, ବିଶ୍ୱ ରଂଜନ ପୃଷେଠ, ଶଙ୍କର ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ । ସନ୍ଧ୍ୟା ଅଧିବେଶନ ପ୍ରାରମ୍ଭରେ ଡ. ପ୍ରେମଚାନ୍ଦ ମହାନ୍ତିଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତ ତଥା ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା । ଏଥିରେ ସୁଜାତା ବହିଦାର, ସମାପିକା ବହିଦାର, କାଞ୍ଚନମଣୀ ଦାନୀ, ପୁଷ୍ପଲତା ବହିଦାର, ମୀନାକ୍ଷୀ ପଟ୍ଟନାୟକ, ନମିତା ବକ୍ସି, ରୋନକ ମହାନ୍ତି, ସ୍ମିତା ବକ୍ସି, ଦେବ ପ୍ରସାଦ ମହାନ୍ତି ପ୍ରମୁଖ କଣ୍ଠଦାନ କରିଥିଲେ । ଶେଷରେ ଅନୁଷ୍ଠିତ ଚିତ୍ରାଙ୍କନ, ତର୍କ, ସଂଗୀତ, ରଂଗୋଲି, ସାଧାରଣଜ୍ଞାନ, ଧିର ସାଇକଲ ଚାଳନା, କୌତିକିଆ, ହୁଳହୁଳି, ଚୁଡିପିନ୍ଧା ଆଦି ପ୍ରତିଯୋଗିତାର ବିଜେତାମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମାଜର ଯୁବ ବର୍ଗ ତଥା ସମସ୍ତ ସଭ୍ୟା ଓ ସଭ୍ୟ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.