ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥ୍ଲେଟିକ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ୧୬ତମ “ଲୋଇସିଂହା କପ୍ ଫୁଟବଲ ଟୁର୍ଣାମେଣ୍ଟ” ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ମ୍ୟାଚ୍ ଜରାସିଂହା ଓ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିରକୁ ୩-୦ ଗୋଲରେ ହରାଇ ଜରାସିଂହା ଏକାଦଶ ବିଜେତା ହୋଇଥିଲା । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଅଞ୍ଚଳରେ କ୍ରୀଡାର ବିକାଶ ଦିଗରେ ଆହୁରି ଭିତ୍ତିଭୂମିର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଟ୍ରଷ୍ଟବୋର୍ଡ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ବିଭୂତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟାଁ, ଶିକ୍ଷୟିତ୍ରୀ ସ୍ମିତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଆସନ୍ତା ୨୦ ତାରିଖରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ମୋଟ ଆଠ ଗୋଟି ଦଳ ଅଂଶଗ୍ରହଣ କରିବେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା, ଅରବିନ୍ଦ ସାହୁ, ଶିବ ଅଗ୍ରୱାଲ, ମୋହିତ ମିଶ୍ର, ଭାଗବତିଆ ଭୋଇ, ସତ୍ୟା ନାଏକ, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।