କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମୁଠେ ଦାନା ପାଇଁ ହଜାର ହଜାର ଶ୍ରମିକ ଦାଦନ ଖଟିବା ସହ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ଆଜି ୨୨ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ବ୍ଳକ ସିଲୁଆ ଗ୍ରାମର ୪ ଜଣ ମହିଳା ଓ ୧୭ ଜଣ ପୁରୁଷ ଆନ୍ଦ୍ରପ୍ରଦେଶକୁ ଇଟା ଗଢିବା ପାଇଁ ଯାଉଥିଲା । ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ରେସିଡେନ୍ସି ଛକ ପାଖରେ ରାତ୍ରୀ ୧୧ଟା ସମୟରେ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ଦାଦନ ସର୍ଦ୍ଦାର ଜଣକ ହେଲେ ଖଗସା ଗ୍ରାମର ମାୟାଧର ତାଣ୍ଡି । ସେ ଫେରାର ମାରିଥିବା ଜଣାପଡିଛି । ଦାଦନ ଶ୍ରମିକମାନେ କହିବା ଅନୁଯାୟୀ ଆମେ ଇଟା ଗଢିବା ପାଇଁ ବାହାର ରାଜ୍ୟକୁ ଯାଉଥିଲୁ । ସର୍ଦ୍ଦାର ପାଖରୁ ୩୦ ହଜାର ଟଙ୍କା ମଧ୍ୟ ଆଣିଛୁ । କିନ୍ତୁ ଦୁଃଖର ବିଷୟ ଯେ, ଆମ ଅଞ୍ଚଳରେ କାମ ଧନ୍ଦା ମିଳୁ ନଥିବା ବେଳେ ବାଧ୍ୟ ହୋଇ ନିଜ ପରିବାର ଲୋକଙ୍କ ପେଟ ପାଟଣା ପାଇଁ ଏଭଳି ପଦକ୍ଷେପ ନେଉଛୁ ବୋଲି ଶ୍ରମିକମାନେ କହିଛନ୍ତି ।
Next Post