ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୂରାତନ ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୩ ଚଳିତ ଅକ୍ଟୋବର ମାସ ୨୮ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଭଞ୍ଜ ଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟଠାରେ ମହାସମାରୋହରେ ପାଳିତ ହେବ । ଏନେଇ ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ପାଠାଗାରର ସଭାପତି ତଥା ଭଞ୍ଜ ସାଂସ୍କୃତିକ ନ୍ୟାସର ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଶତପଥୀ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ଉତ୍ସବରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡ଼ଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କଳା ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ କଳାକାରଙ୍କୁ ସମ୍ମାନିତ କରାଯିବ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଡ. ତ୍ରିପୁରା ମିଶ୍ର ଓ ସହରର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୁହାଣଙ୍କୁ କୁମାର ଉତ୍ସବ ସମ୍ମାନ ୨୦୨୩ ରେ ସମ୍ବର୍ଦ୍ଧିତ କରାଯିବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତିଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଓ ନୃତ୍ୟଗୁରୁ ସୁଦେଷ୍ଣାରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଉପାସନା ଅନୁଷ୍ଠାନ ଦ୍ଵାରା କୁଆଁର ପୁନେଇ ଜହ୍ନ ଗୋ ନୃତ୍ୟ ନାଟିକା ପରିବେଷଣ କରାଯିବ । ସେହିପରି ମୁଖ୍ୟ ଆକର୍ଷଣରେ ଗୌତମ ଗିରି, ମନୋଜ ସେଠୀ, ଆକାଂକ୍ଷା ନାୟକ, ଭାଗ୍ୟଶ୍ରୀ, ଭାସ୍କର ଚନ୍ଦ୍ର ପୁହାଣ ପ୍ରମୁଖ ସଂଗୀତ ପରିବେଷଣ କରିବେ । ତେଣୁ ଏହି ଉତ୍ସବରେ ରାଉରକେଲାର ସମସ୍ତ ଜନସାଧାରଣ, ସଂସ୍କୃତି ପ୍ରେମୀ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଉଭୟ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଅଭୟ କୁମାର ଦାସ, ବିଷ୍ଣୁ ମହାନ୍ତି, ଗୋପିନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଆଦିତ୍ୟ ମହାପାତ୍ର, ଆଇନଜୀବୀ ସୁରେଶ ମାଝୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉପସଭାପତି ବାଉରୀବନ୍ଧୁ ସାହୁ, ଡା ବସନ୍ତ କୁମାର ଦାସ, ପ୍ରଧ୍ୟାପକ ଡ. ସନାତନ ପ୍ରଧାନ, ଅଶୋକ କୁମାର ବଳ, ଅର୍ଚ୍ଚନା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଡ. ଜୟନ୍ତୀ ପାଢ଼ୀ, ଦୀନବନ୍ଧୁ ରଥ, ପଞ୍ଚାନନ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post