ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଦିଗରେ ଶିଶୁ ମହୋତ୍ସବ ଏକ ସୁନ୍ଦର ପ୍ରୟାସ ଓ ଜାଗରଣ ସୃଷ୍ଟି ନିମନ୍ତେ ଅନ୍ୟ ଏକ ପ୍ରୟାସ ବୋଲି ଶ୍ରୀମତୀ ଖେସ୍ କହିଛନ୍ତି । ଶିଶୁମାନେ ପ୍ରତିଯୋଗିତା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ ବେଳେ ଯଦି ପୁରସ୍କାର ପାଆନ୍ତେ ନାହିଁ ତେବେ ନିରୁତ୍ସାହିତ ନ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ କିଭଳି ପୁରସ୍କାର ପାଇବେ ସେ ଦିଗରେ ଉଦ୍ୟମ ଓ ପ୍ରୟାସ କରିବାକୁ ଶ୍ରୀମତୀ ଖେସ୍ ପ୍ରବର୍ତ୍ତାଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ, ଯେ ପ୍ରତ୍ୟେକ ଶିଶୁ ତଥା ମଣିଷଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ଥାଏ । ସେଗୁଡିକ ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ବିକଶିତ ହୋଇପାରିବ । ଛୋଟବେଳୁ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା ପ୍ରଦର୍ଶନ ହୋଇପାରିଲେ ସେହି ଗୁଣକୁ ନେଇ ସମାଜର ମଙ୍ଗଳ ଦିଗରେ ନିଜକୁ ବିନିଯୋଗ କରିପାରିବେ । ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପ୍ରତ୍ୟେକ ଶିଶୁଙ୍କର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ପ୍ରଦର୍ଶନ ଦ୍ୱାରା ପ୍ରତିଭା ବିକଶିତ ହେବ ବୋଲି ଜଣାଇଥିଲେ । ଶିଶୁମଙ୍ଗଳ କମିଟିର ସଭ୍ୟ ପ୍ରଣବ ପାଢୀ ଜୁଭିନାଲ ଜଷ୍ଟିସ ବୋର୍ଡର ସଭ୍ୟା ଡ଼ା. ଅଳକା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ସାହନ କରିଥିଲେ । ଏଠାରେ ପ୍ରକାଶ ଥାଉକି ଏହି ଶିଶୁ ମହୋତ୍ସବରେ ସଙ୍ଗୀତ, ବତ୍କୃତା, କୁଇଜ, ଦଳଗତନୃତ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଗଣ ରାଜ୍ୟସ୍ତରୀୟ ମହକ ୨୦୨୩ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଧରାକୋଟ ବାଲିକେଶ୍ଵର ଅନାଥ ଆଶ୍ରମ, ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜୀବନୀ ଶିଶୁ ସୁରକ୍ଷା ଅନୁଷ୍ଠାନ ଚିକିଟି ସ୍ଥିତ ଡିଭାଇନ ଲାଇଫ ସୋସାଇଟି ଏବଂ ବ୍ରହ୍ମପୁରସ୍ଥ ଉତ୍କଳ ବାଳଶ୍ରମର ଛାତ୍ରଛାତ୍ରୀ ଗଣ ଏହି ଶିଶୁ ମହୋତ୍ସବରେ ଯୋଗଦାନ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତା ଶେଷ ହେବାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଦ୍ଧ କୁମାର ଷଡଙ୍ଗୀ କୃତୀପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ମହାରଣା, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ଶିବପ୍ରସାଦ ରଥ, ସୁଜିତ କୁମାର ସାହୁ, କାମେଶ୍ୱର ପରିଡା ପ୍ରମୁଖ ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।