ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ବ୍ଲକ ସ୍ତରୀୟ ଶିଶୁମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗଣେଷ କିଷାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ବ୍ଲକ ଉନ୍ନୟନ ଅଧିକାରୀ ରୋହିତ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିବା ସହ ଅନ୍ତର୍ନିହିତ ସୃଜନଶୀଳତାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସୁବର୍ଣ୍ଣପୁର ଜିଲ୍ଲା ସହଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସୁରଭିର ଭୂମିକା ବିଷୟରେ ଆଲୋଚନା କରିଥିଲେ । ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ସମ୍ମାନିତ ଅତିଥିଭାବେ ଯୋଗଦେଇ ମିଲେଟ ମିଶନ ବିଷୟରେ ଆଲୋଚନା କରି କହିଥିଲେ ଯେ ଖାଦ୍ୟ ଓ ବିକାଶ ପରସ୍ପରର ପରିପୂରକ । ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସି.ଆର.ସି.ସି ଦିଲୀପ ପଧାନ ଓ ଶିକ୍ଷକ ସୁଧୀର ଗଡତିଆ ମଞ୍ଚ ପରିଚାଳନା କରିଥିଲେ । ବଲେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ, ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଫୁଲତୋଡ଼ା ଓ ବ୍ୟାଚ ସହିତ ଅତିଥିଙ୍କୁ ସ୍ୱାଗତ କରିଥିବାବେଳେ ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଉପଢୌକନ ଦେଇ ଅତିଥିଙ୍କ ଆଶୀର୍ବାଦ ନେଇଥିଲେ । ଦିବ୍ୟାଙ୍ଗ ହୋଇଥିଲେ ବି ଦୃଢ଼ ଇଚ୍ଛାଶକ୍ତି ନେଇ ଲେଖିଥିବା ଶିକ୍ଷକ ନିତ୍ୟାନନ୍ଦ ଦୀପଙ୍କ ଏକ ଇଂରାଜୀ କବିତା ସଂକଳନ ପୁସ୍ତକ “ବିଟଉଇନ ଦ ଭର୍ସେସ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବ୍ଲକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଧ୍ୟମିକ, ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଲେଟ କୁଇଜ, ପ୍ରବନ୍ଧ, ବକ୍ତୃତା, ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା, ତର୍କ, ସୃଜନଶୀଳ ଲିଖନ, ଓଡିଆ ଶୃତଲିଖନ ଓ ହସ୍ତାକ୍ଷର, କାର୍ଯ୍ୟକ୍ରମ ସଂଯୋଜନା ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ସୁରଭିର ଭୂମିକା ପ୍ରଶଂସନୀୟ ବୋଲି କହିବା ସହ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟବକ୍ତା ଭାବେ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ମିଲେଟ ମିଶନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ଡୁଙ୍ଗୁରିପାଲି ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ବିଶିଷ୍ଟ ସମାଜସେବୀ ତଥା କୋଶଲ ସାମ୍ବାଦିକ ସଙ୍ଘର ସଭାପତି ବିପ୍ର ଚରଣ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ । ପ୍ରତ୍ୟେକ ପ୍ରତଯୋଗୀତାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅଖିଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଲୁ ମିର୍ଧା ତଦାରଖ କରିବା ସହିତ ପ୍ରତିଯୋଗିତା କକ୍ଷ ଗୁଡିକୁ ପରିଦର୍ଶନ କରି ସୁନ୍ଦରଭାବେ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିଗଶିରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସଂଜୀବ ପଟେଲ ସଂଯୋଜନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଯଥାକ୍ରମେ କରଲାଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡୁଙ୍ଗୁରିପାଲି ଶିକ୍ଷା ପ୍ରଶାସନ ତରଫରୁ ବଡ଼କରଲେ ଉଚ୍ଚ ପ୍ରାଥମିକ ଶିକ୍ଷକ ରାମଗୋପାଳ ଭୋଇଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର, ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ ପୁରସ୍କାର ଓ ଅଇଁଳାସାରୀ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା ସମିତି ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବିଶିଷ୍ଠ କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ତରଭା ସହଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା, ଆକାଶବାଣୀ କଣ୍ଠଶିଳ୍ପୀ ମିନା ବାରିକ ସଂଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକର ସମସ୍ତ ୧୫ଟି କ୍ଲଷ୍ଟରରୁ ସି.ଆର.ସି.ସି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବ୍ଲକ ଶିକ୍ଷା କାର୍ଯାଳୟର ସମସ୍ତ କର୍ମଚାରୀ,ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କଳାକାର ସହଯୋଗ କରିଥିଲେ । ଶିକ୍ଷା ବିଭାଗର ବ୍ଲକସ୍ତରୀୟ ସୁରଭିରେ ଶୃଙ୍ଖଳା, ସୁଦୃଶ୍ୟ ସାଜସଜ୍ଜା ଓ ସେଲ୍ଫି ପଏଣ୍ଟ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଆକର୍ଷଣୀୟ ଓ ଅନୁକରଣୀୟ ଥିଲା । ପ୍ରଥମ ପୁରସ୍କାର ପାଇଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।