ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଯୋଜନାରେ ଏକ ବିଚିତ୍ର ଠକେଇ ଅଭିଯୋଗ ଆଜି ସାମ୍ନାକୁ ଆସିଛି । ହିତାଧିକାରୀଙ୍କ ଅଜାଣତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ ହୋଇଛି । ପୁଣି ଆବାସ ଗୃହ ମଂଜୁର ହୋଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ହିତାଧିକାରୀଙ୍କ ଏଟିଏମ୍ କାର୍ଡ ଚୋରି କରି ଟଙ୍କା ଆତ୍ମସାତ୍ କରାଯାଇଛି । ଏଭଳି ଅଭିଯୋଗ କରିଛନ୍ତି ବଲାଙ୍ଗିର ସଦର ବ୍ଲକ ଅଧିନସ୍ଥ ଶିକାଛିଡ଼ା ପାଖ କନକପୁର ଗାଁର ଫୁଲତୁଲି ନାଗ(୪୮) । ସେ କହିଛନ୍ତି ଯେ, ପିଇଓ ତାଙ୍କ ପାଖକୁ ଆସି ତୁମେ ଘରର ଛାତ କାହିଁକି ପକାଇନାହଁ ବୋଲି ପଚାରିବା ପରେ ସେ ଏହି ଘଟଣା ସଂପର୍କରେ ଜାଣିଛନ୍ତି । ଅନ୍ୟପଟେ ସେ ଜଣେ ଡାଇବେଟିସ୍ ରୋଗୀ ହୋଇଥିବା କାରଣରୁ ସେତେବେଳେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଥିରେ ପୁଣି ସ୍ୱାମୀ ଜଣେ ପାରାଲିସିସ୍ ପେସେଣ୍ଟ । ଏପରିକି ଏବେ ସେ ବିଭିନ୍ନ ପ୍ରକାର ଅସୁବିଧାକୁ ଆଖି ଆଗରେ ରଖି ନିଜ ମା’ଘର ପୁଇଁତଲା ବ୍ଲକ୍ ଅନ୍ତର୍ଗତ ଜାମଗାଁ ପାଖ କଁକରିଆକୁ ଆସି ରହୁଛନ୍ତି । ଗାଁରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ପୁତୁରା ମଗଶିର ନାଗ ଫୁଲତୁଲିଙ୍କ ନାମରେ ପ୍ରଧାନମନ୍ତ୍ରୀ ଘର ଆବେଦନ କରି ତାଙ୍କ ଏଟିଏମ୍. କାର୍ଡ ଚୋରି କରି ଟଙ୍କା ଆତ୍ମସାତ୍ କରିଥିବା ସେ କହିଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଏକ ଗ୍ରାମସଭା ଆୟୋଜିତ ହୋଇଥିବା ବେଳେ ତାଙ୍କ ପୁତୁରା ମଗଶିର ସଭାଜନଙ୍କ ଆଗରେ ମୁଁ ସରକାରଙ୍କ ଟଙ୍କା ଖାଇଛି, କାହାର ଟଙ୍କା ଖାଇନାହିଁ’ ବୋଲି କହିଥିଲା । ଏପଟେ ଘଟଣାର ଉଚିତ୍ ତଦନ୍ତ କରି ଯଥୋଚିତ ପଦକ୍ଷେପ ପାଇଁ ବଲାଙ୍ଗିର ସଦର ବ୍ଲକ୍ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ଫୁଲତୁଲି ନାଗ ।
Prev Post