ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ସୋମବାର ସକାଳ ୧୦ଟା ୩୫ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ଛତ୍ରପୁର ଏସଡ଼ିଜେଏମ୍ଙ୍କ କୋର୍ଟ ହଲରେ ବିଚାରଣା ହେବା କଥାକହି ହଲରେ ଉପସ୍ଥିତ ରହିଥିଲେ । ଏହି ସମୟରେ ବେଞ୍ଚ କ୍ଳର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି କମ୍ପ୍ୟୁଟରକୁ ଲକ୍ଷ୍ୟ କରି ପଥର ମାରି କମ୍ପ୍ୟୁଟରକୁ ନଷ୍ଟ କରିଦେବା ସହ ଅନ୍ୟ ଆସବାବପତ୍ରକୁ ନଷ୍ଟ କରିଦେଇଥିଲା । ସେଠାରେ ଉପସ୍ଥିତ ଥିବା ବେଞ୍ଚ କ୍ଳର୍କ ପ୍ରଫୁଲ୍ଲ ନାୟକ ତତକ୍ଷଣାତ ଉକ୍ତ ବ୍ୟକ୍ତି ସମ୍ବନ୍ଧରେ ଛତ୍ରପୁର ପୋଲିସକୁ ସୂଚନା ଦେବାରୁ ପୋଲିସ ସବ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ଅନ୍ୟ ପୋଲିସମାନେ ଆସି ଉକ୍ତ ବ୍ୟକ୍ତିକୁ କାବୁ କରିନେଇଥିଲେ । ଏ ସମ୍ବନ୍ଧରେ ଛତ୍ରପୁର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବାର ଖବର ମିଳିଛି । ସର୍ବୋପରି ଛତ୍ରପୁର କୋର୍ଟ ପରିସରରେ କଡ଼ାସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ ନଥିବା ନେଇ ଏଠାକୁ ଆସୁଥିବା ଲୋକମାନେ ଆଉ ସୁରକ୍ଷା ମଣୁ ନାହାଁନ୍ତି । ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଦୈନିକ କଡ଼ାସୁରକ୍ଷାର ପହରା ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।