ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି ”ଦିଶା”ର ତୃତୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ସ୍ଥାନୀୟ ଷ୍ଟେଟ ଇନଷ୍ଟିଚ୍ୟୁଟ୍‌ ଅଫ ହୋଟେଲ ମ୍ୟାନେଜମେଣ୍ଟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି ”ଦିଶା”ର ବୈଠକ କମିଟି ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରତିନିଧି ବିଷ୍ଣୁ ପ୍ରସାଦ କେଡିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଦିଶା କମିଟିର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀ ମାନେ ଉତ୍ତମ ସମନ୍ଵୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନା ଗୁଡିକର ସୁଫଳ ଯେପରି ତୃଣମୁଳ ସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବା ସକାଶେ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାକାମ ନିମ୍ନମାନର ହୋଇଥିବା ଅଭିଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏହାର ଗୁଣବତ୍ତା ଉପରେ ସ୍ଵତନ୍ତ୍ର ଯାଞ୍ଚ କରାଯିବା ନିମନ୍ତେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କମିଟିର ଅଧ୍ୟକ୍ଷାଙ୍କୁ ଅବଗତ କରିଥିଲେ । ବିଭାଗୀୟ ନିର୍ବାହୀ ଅଧିକାରୀ କିଛି ସ୍ଥାନରେ ଠିକାଦାରକୁ ନିମ୍ନମାନର କାମ ଅଭିଯୋଗ ସକାଶେ ନୋଟିସ ଦିଆଯାଇଛି ବୋଲି ସଭାକୁ ଜଣେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଏବଂ ହିତାଧିକାରୀ ମାନେ ପାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଏକ ସୂଚନା ପତ୍ର ପ୍ରସ୍ତୁତ କରି ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅବଗତ କରିବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏମଜିଏନଆରଇଜିଏ ଯୋଜନାର କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଟଙ୍କା ପଇଠରେ ଆଧାର ଟିପଚିହ୍ନ ଜନିତ ଅସୁବିଧା ପାଇଁ ବିଳମ୍ବ ହେଉଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା । କିଛି ସ୍ଥାନରେ ଓଭରହେଡ ଟ୍ୟାଙ୍କରୁ ପାଣି ଲିକ ହେଉଥିବାରୁ ତାର ମରାମତି ପାଇଁ ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳରେ କିଛି ଜାଗାରେ ଅନିୟମିତ କରି ପାଇଥିବା ଘର ପାଇଁ ସମ୍ପୃକ୍ତଙ୍କ ସଂପୂର୍ଣ୍ଣ ଅର୍ଥ ଫେରସ୍ତ ଅଣାଯାଇଛି ଏବଂ ଅଧିକାରୀଙ୍କୁ ଦଣ୍ଡବିଧାନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅଭାବ ଶୀଘ୍ର ନୂତନ ଡାକ୍ତରଙ୍କ ଦ୍ଵାରା ପୂରଣ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଦୁର୍ବଳ ନେଟୱର୍କ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ଜିଲ୍ଲାପାଳ ଏହାର ଏକ କମିଟି ଗଠନ ସହ ସବିଶେଷ ତଥ୍ୟ ଦେବାକୁ ଆଦେଶ ଦେଇଥିଲେ । ଯଥା ଶୀଘ୍ର ସର୍ଭେ କରି ନୂଆ ଟାୱାର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ପୋଷ୍ଟ ଅଫିସ ନ ଖୋଲିବା, ତୁରେକେଲାରେ ପୋଷ୍ଟଅଫିସ କାର୍ଯ୍ୟକ୍ଷମ ନ ହେବାରୁ ପୋଷ୍ଟ ମାଷ୍ଟରଙ୍କୁ ନିର୍ଦ୍ଧିଷ୍ଟ ଅଫିସଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରେଇବାକୁ କହିଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.