କଳିଙ୍ଗା ଘାଟିରେ ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ଯୋଗୁଁ ଦୁର୍ଘଟଣା, ଡ୍ରାଇଭର୍‌ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ଗୁରୁବାର ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର୍‌ ସୋନୁ ବିଶ୍ୱକର୍ମା (୨୮) ଟ୍ରକ୍‌ରେ ଚାପି ହୋଇ ରହିଯାଇଥିଲେ । ପୋଲିସ୍‌, ଦମକଳ ବାହିନୀ ଏବଂ କଳିଙ୍ଗା ଓ ଟିକାବାଲିର ସ୍ୱେଚ୍ଛାସେବୀ ସାହାଯ୍ୟକାରୀ ଦଳ ପହଞ୍ଚି କଟର୍‌ରେ ଟ୍ରକ୍‌କୁ କାଟି ଜେସିବି ଆଣି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ୍‌କୁ ପଠାଯାଇଛି ବୋଲି ଜି. ଉଦୟଗିରି ଆଇଆଇସି ଅଜୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ଟ୍ରକ୍‌ର ହେଲ୍‌ପର୍‌ ତଥା ଡ୍ରାଇଭର୍‌ଙ୍କ ଭାଇ ଦୀପକ ବିଶ୍ୱକର୍ମା (୨୪) ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଟ୍ରକ୍‌ ନମ୍ବର୍‌ ଏମ୍‌ପି-୦୪ ଜିଏ୩୭୪୨ ମଧ୍ୟପ୍ରଦେଶର ଭୋପାଳଠାରୁ ଥଣ୍ଡା ପାନୀୟ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଗୁରୁବାର ସକାଳେ କଳିଙ୍ଗା ଘାଟିରେ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଥିବା ହେଲପର୍‌ ଦୀପକ କହିଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ଜି. ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏସ୍‌.ଆଇ. ବିନୟ ମହାରଣା, ଅନନ୍ତ କୁମାର ପ୍ରଧାନ, ବୁଲୁ ବେହେରା, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀ, ଅଗ୍ନିଶମ ବାହିନୀ, ୧୦୮ ଆମ୍ବୁଲାନ୍ସ ଏବଂ କଳିଙ୍ଗା ଓ ଟିକାବାଲିର ସ୍ୱେଚ୍ଛାସେବୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.