ବଲାଙ୍ଗିରରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଆଇନ ସୁରକ୍ଷା, ଆଲୋକିକରଣ, ପ୍ରଦୁଷଣ ମୁକ୍ତ ପୂଜା, ବାଣ ଓ ସାଉଣ୍ଡ, ଟ୍ରାଫିକ, ପାନୀୟ ଜଳ, ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହେଇଥିଲା । ଥର୍ମକୋଲ, ପଲିଥିନ, ମାଟିକୁ ଖରାପ ନ କରୁଥିବା ପଦାର୍ଥ ପୂଜାରେ ବ୍ୟବହାର କରିବାକୁ ଜିଲ୍ଲାପାଳ କହିଥିଲେ । ବିସର୍ଜନ ପାଇଁ ଅଧିକରୁ ଅଧିକ ଅସ୍ଥାୟୀ ପୋଖରୀ ପାଇଁ ମ୍ୟୁନିସିପାଲିଟିକୁ ଆଦେଶ ଦେଇଥିଲେ । ଅସ୍ଥାୟୀ ପୋଖରୀ କରିବା ସହ ସମସ୍ତ ପୂଜା ମଣ୍ଡପକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ଅନୁରୋଧ କରିଥିଲେ । ରାବଣପୋଡି ପାଇଁ ପୂଜା କମିଟିକୁ ପ୍ରଶାସନ ପାଖରୁ ଅନୁମତି ନେବାକୁ ପଡିବ । ଉପଜିଲ୍ଲାପାଳ, ତହସିଲଦାର, ପୋଲିସ, ଅଗ୍ନିଶ୍ରମ ଅଧିକାରୀଙ୍କୁ ନେଇ ଏକ କମିଟି ଅନୁଧ୍ୟାନ କଲାପରେ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଥିଲେ । ପର୍ଯ୍ୟପ୍ତ ପିଇବା ପାଣି ରଖିବାକୁ, ପ୍ଲାଷ୍ଟିକ ବଦଳରେ କାଗଜ ବ୍ୟବହାର ତଥା ଆଖପାଖ ଅଞ୍ଚଳକୁ ଦିନକୁ ଦୁଇଥର ସଫା କରି ପରିବେଶ ସଫସୁତୁରା ରଖିବାକୁ କହିଥିଲେ । ରାସ୍ତା ପାଖରେ କୌଣସି ଅସ୍ଥାୟୀ ଦୋକାନୀ ଯେପରି ବିକ୍ରି କରି ଟ୍ରାଫିକ ସମସ୍ୟା ସୃଷ୍ଟି ନ କରିବେ, ଖାଦ୍ୟ ଓ ପ୍ରସାଦର ନିରାପତ୍ତା ଯାଞ୍ଚ କଡାକଡି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଖାଦ୍ୟର ଗୁଣ ଖରାପ ହେଲେ ସେହିସ୍ଥାନରେ ତାକୁ ଫୋଫାଡିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ କହିଥିଲେ । ଭସାଣି ବେଳେ ଉଚ୍ଚଶବ୍ଦର ଡିଜେ ଗାଡିକୁ ପ୍ରଶୟ ଦିଆଯିବନି ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ । ଲୋକଙ୍କ ହିତକୁ ନଜର ନ କରି ଉଚ୍ଚ ଶବ୍ଦର ଡିଜେ ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଥିଲେ । ସମସ୍ତ ପୂଜା ମଣ୍ଡପ ନିଜସ୍ଵ ଭଲେଣ୍ଟିଅର୍‌ ପୋଲିସ ପ୍ରଶିକ୍ଷଣ ଦେବ । ସେମାନେ ସୁରକ୍ଷା କ୍ଷେତ୍ରରେ ପୋଲିସକୁ ସାହାର୍ଯ୍ୟ କରିବେ । ବାଣ କିମ୍ବା କୌଣସି ଅଗ୍ନି ସୃଷ୍ଟିକାରୀ ଦ୍ରବ୍ୟ ବ୍ୟବହାର ସଂପୂର୍ଣ୍ଣ ମନା ହେଇଛି । ସିସିଟିଭି ଦ୍ଵାରା ଅସମାଜିକ କାର୍ଯ୍ୟ ଉପରେ ଧ୍ୟାନ ରଖାଯିବ । ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ ପୂଜାମଣ୍ଡପ ଗୁଡିକୁ କୁହାଯାଇଛି । ଅସମାଜିକ କାମ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆରକ୍ଷୀ ଅଧିକ୍ଷକ ତାଗିଦ କରିଛନ୍ତି । ସାଦାପୋଷକ ଧାରୀ ପୋଲିସ ଲୋକଙ୍କ ମଧ୍ୟରେ ଲୋକଙ୍କୁ ଜଗିବେ । କୁଇକ ଆକସନ ପାଇଁ ଏକ ହ୍ୱାର୍ଟସ୍‌ ଆପ୍‌ ଗ୍ରୁପରେ ସମସ୍ତ ପୂଜା ମଣ୍ଡପର ସଭାପତି, ସମ୍ପାଦକଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ରହିବେ । ଦୁର୍ଗାପୂଜାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ କହିବା ସହ ସଭା ଶେଷ କରିଥିଲେ ।

Leave A Reply

Your email address will not be published.