ପାରାକ୍ୱାଟ ତୃଣନାଶକର ବିକ୍ରୟ ଓ ବ୍ୟବହାର ଉପରେ ସଚେତନତା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୃଷି କ୍ଷେତ୍ରରେ ରାସାୟନିକ ତୃଣନାଶକ ପାରାକ୍ୱାଟର ବ୍ୟାପକ ବ୍ୟବହାର ଯୋଗୁଁ ମଣିଷ ତଥା ପ୍ରାଣୀ ସମ୍ପଦ ଉପରେ ଏହାର ତୀବ୍ର କୁପ୍ରଭାବ ଦେଖାଯିବା ସହ ପରିବେଶ ଉପରେ ମଧ୍ୟ ଏହାର କୁପରିଣାମ ଦେଖାଯାଇଛି । ବିଭିନ୍ନ ସ୍ତରରୁ ମିଳିଥିବା ଏହି ରାସାୟନିକ ତୃଣନାଶକର ହାନିକାରକ ପରିଣାମକୁ ବିଚାରକୁ ନିଆଯାଇ ଓଡିଶା ସରକାର ଏହି ତୃଣନାଶକର ଉତ୍ପାଦ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ କୀଟନାଶକ ବିକ୍ରେତା ଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ରାୟ ପାରାକ୍ୱାଟ ତୃଣନାଶକ ଉପରେ ରହିଥିବା କଟକଣା ଉପରେ ଉପସ୍ଥିତ ସମସ୍ତ କୀଟନାଶକ ବିକ୍ରେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହ କୀଟନାଶକ ବିକ୍ରେତା ମାନେ ସେମାନଙ୍କର ବିକ୍ରୟ କେନ୍ଦ୍ରରେ ପାରାକ୍ୱାଟ ର ବିକ୍ରି ଓ ବ୍ୟବହାର ଉପରେ ଥିବା କଟକଣାକୁ ବ୍ୟାନର ମାଧ୍ୟମରେ ଚାଷୀ ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚିତ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ର ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ପାରାକ୍ୱାଟ ତୃଣନାଶକ ବ୍ୟବହାର ର ବିଭିନ୍ନ ମାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ବୀରେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଭୋଇ ଙ୍କ ସହ ବିଭିନ୍ନ ବ୍ଲକର କୃଷି ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ପାରାକ୍ୱାଟ ଉପରେ ଲଗାଯାଇଥିବା କଟକଣା ଆଜି ଠାରୁ ଆସନ୍ତା ୬୦ ଦିନ ଯାଏ ପର୍ଯ୍ୟବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି କଟକଣା କୁ ଯେମିତି କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାର ସମସ୍ତ କୀଟନାଶକ ବିକ୍ରେତା ଏହି କାର୍ଯ୍ୟକୁ ସାମାଜିକ ଦାୟିତ୍ୱବୋଧ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.