ରାଉରକେଲା, (ସସ୍ମିତା ପ୍ରଧାନ) : ଇରମ ଗୁଳିକାଣ୍ଡ ଥିଲା ଭାରତ ଇତିହାସରେ ଏକ ଅସାଧାରଣ ଘଟଣା, ଯେଉଁଠି ଲୋକମାନେ ଆଗକୁ ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ସେମାନେ ପଛଘୁଞ୍ଚା ଦେଇ ନ ଥିଲେ, ଭଦ୍ରକରେ ଇରମ ଗୁଳିକାଣ୍ଡରେ୨୯ ଜଣ ଏବଂ ଲୁଣିଆ ଗୁଳିକାଣ୍ଡରେ ୯ ଜଣ ଶହୀଦ ହୋଇଥିଲେ । ଆମମାନଙ୍କର ସରଳତାର ସୁଯୋଗ ନେଇ ସେଦିନର କଳିଙ୍ଗ ସାଗର ଆଜି ବଙ୍ଗୋପ ସାଗରରେ ପରିଣତ ହୋଇଛି । ଆଜି ଆମର ସଂସ୍କୃତି, ପରମ୍ପରା ଓ ସମ୍ପର୍କ ଦୃତ ଗତିରେ ଅବକ୍ଷୟ ଘଟି ଚାଲିଛି । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ପ୍ରତ୍ୟେକ ଶହୀଦମାନଙ୍କର ଜୀବନୀ ବିଷୟରେ ପୁସ୍ତିକା ସରକାରଙ୍କ ତରଫରୁ ପ୍ରକାଶ କରିବା ଉଚିତ୍ । ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ଲୁଣିଆ ଇରମ ଶହୀଦ ଦିବସ ପାଳନ ଅବସରରେ ମୁଖ୍ୟବକ୍ତା ଡ.ସତ୍ୟପ୍ରିୟ ମହାଳିକଙ୍କ ବକ୍ତବ୍ୟ, ଧାମରା ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର କହିଲେ ଏହି ଗୁଳିକାଣ୍ଡରେ ଶହୀଦମାନେ ଚିରସ୍ମରଣୀୟ ହୋଇ ରହିବେ । ସରକାର କ’ଣ କରୁଛି, ଦେଶ ଆମକୁ କ’ଣ ଦେଇଛି, ତାହା ଚିନ୍ତା କରିବା ପୂର୍ବରୁ ଆମେ ସମାଜକୁ କ’ଣ ଦେଇପାରିବା ଜଣେ ଦେଶପ୍ରେମର ଲକ୍ଷଣ ବୋଲି ସେ କହିଥିଲେ, ସାଧାରଣ ସମ୍ପାଦକ ଭଗବାନ ରାଉତ ଇରମକୁ ବୀରଭୂମି ଓ ଭଦ୍ରକକୁ ତ୍ୟାଗ ଭୂମି ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ୩୮ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ୩୮ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସହ ସାଧାରଣ ସମ୍ପାଦକ ଅକ୍ଷୟ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଉପ ସଭାପତି ଉପେନ୍ଦ୍ର ନାୟକ, ରତ୍ନାକର ବଳ, ନିତ୍ୟାନନ୍ଦ ବିଶ୍ବାଳ, ଶ୍ରୀବତ୍ସ କୁଅଁର, ସମ୍ପାଦକ ରମାକାନ୍ତ ପରିଡା, ଜ୍ଞାନରଞ୍ଜନ କର, ଅମୂଲ୍ୟ ସେଠୀ, ବାଳକୃଷ୍ଣ ସ୍ବାଇଁ, ପ୍ରଫୁଲ୍ଲ ଦାସ, ଜଗନ୍ନାଥ ରାଉତ, ମନୋଜ ରାଉତ, କୁଳମଣି ଓଝା କାର୍ଯ୍ୟକ୍ରମ ପରିଚାଳନାରେ ସାହାର୍ଯ୍ୟ କରିଥିଲେ । ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ, କବି, ସାହିତ୍ୟିକ, ଲେଖକମାନେ ଯୋଗଦାନ କରିଥିଲେ ।