
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ୨ ତାରିଖ ଦିନ ଦେଶବ୍ୟାପୀ ଜାତିର ଜନକ ମହାତ୍ମା ଗାନ୍ଧୀ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହେଉଥିବା ବେଳେ ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଗାନ୍ଧୀ ଜୟନ୍ତୀ ଉତ୍ସବ କମିଟି ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । କମିଟିର ସଭାପତି ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ପୌର ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପ ମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା, ମୁଖ୍ୟବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ, ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ ମଞ୍ଚାସୀନ ଥିଲେ । ପ୍ରଥମେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପରିଚାଳନା କରିଥିଲେ ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ । ଏହି ଜୟନ୍ତୀ ସମାରୋହରେ ସହରର ବିଭିନ୍ନ ଧର୍ମର ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେମାନେ ଅହିଂସା ବିଷୟରେ ନିଜ ନିଜ ଧର୍ମରେ କ’ଣ କୁହାଯାଇଛି, ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜୟନ୍ତୀ ପାଳନ ଅବସରରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ଆଇନଜୀବୀ, ସ୍କୁଲ ଛାତ୍ରଛାତ୍ରୀ, ସ୍ବଚ୍ଛ ସାଥୀମାନେ ଯୋଗ ଦେଇଥିଲେ ।