ଭୁବନେଶ୍ୱର, (ପିଆଇବି) : ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି । ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି । ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ । ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ । ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Prev Post