jayashree

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ବେହେରା ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରଥମ ଥର ପାଇଁ କୌଣସି ସାଧାରଣ ମହାବିଦ୍ୟାଳୟ ଆରମ୍ଭ ହୋଇଥିବା ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଦିନରେ ଏହି ପାଠ୍ୟକ୍ରମର ଉପାଧ୍ୟୁତ୍ତର ଶ୍ରେଣୀ ମହାବିଦ୍ୟାଳୟରେ ଆରମ୍ଭ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ଦିନକୁ ଦିନ ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବାରୁ ଏହି ପାଠ୍ୟକ୍ରମ ବେଶ୍‌ ଉପାଦେୟ ହୋଇପାରିବ ବୋଲି ପ୍ରଫେସର ବେହେରା କହିଥିଲେ । ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାରର ଗଣମାଧ୍ୟମ ଓ ଏହାର ଉପଯୋଗିତା ସହିତ ଗଣମାଧ୍ୟମରେ ଆଦର୍ଶ, ନୀତି ଓ ନିରପେକ୍ଷତା ସମ୍ପର୍କରେ ସେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସୀମା ଫାତିମା ଏକ୍କା ଯୋଗଦେଇ ଗଣମାଧ୍ୟମର ସ୍ୱରୂପ ସମ୍ପର୍କରେ କହିଥିଲେ । ବିଶେଷ କରି ବର୍ତ୍ତମାନ ସମୟରେ ବହୁଳ ପ୍ରସାରିତ ସାମାଜିକ ଗଣମାଧ୍ୟମ ଓ ଯୁବବର୍ଗଙ୍କ ଦ୍ୱାରା ଏହାର ସଠିକ୍‌ ପରିଚାଳନା ଓ ଉପଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ । ସମ୍ପ୍ରତି ଗଣମାଧ୍ୟମ ଓ ଯୋଗାଯୋଗ ସହିତ ସୂଚନା ଏବେ ସମସ୍ତଙ୍କ ଜୀବନର ଅପରିହାର୍ଯ୍ୟ ଆବଶ୍ୟକତା ହୋଇଯାଇଛି । ତେଣୁ ସମସ୍ତ ପ୍ରକାରର ଗଣମାଧ୍ୟମର ଉଚିତ୍‌ ବ୍ୟବହାର ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତି ସଚେତନ ହେବା ନିମନ୍ତେ ଶ୍ରୀମତୀ ଏକ୍କା ଆହ୍ୱାନ ଦେଇଥିଲେ । ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଆଭାସ କୁମାର ହୋତା ତାଙ୍କ ବକ୍ତବ୍ୟରେ ସୂଚନା ଓ ଗଣ ଯୋଗାଯୋଗର ଆବଶ୍ୟକତା ଏବଂ ଗୁରୁତ୍ୱ ସହିତ ଏହାର ସଠିକ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗଣ ଯୋଗାଯୋଗ ବିଭାଗର ଛାତ୍ରୀ ନିକିତା ନନ୍ଦ କୁଜୁର ଓ ଆର୍‌ୟାନ ଚତୁର୍ବେଦୀ ବୈଶ୍ୱିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମର ପ୍ରସଙ୍ଗ – ଡିଜିଟାଲ ବ୍ୟବସ୍ଥାରେ ଗଣମାଧ୍ୟମ ଓ ସୂଚନା ସାକ୍ଷରତା ବନାମ ବୈଷୟିକ ସାମୁହିକ ପାଇଁ ଆହ୍ୱାନ ଶୀର୍ଷକର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାଧ୍ୟାପକ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ଯୁକ୍ତ ଦୁଇ, ସ୍ନାତକ ଓ ସ୍ମାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.