ପାଟଣାଗଡ଼, (କେପିଏନ୍ଏସ୍) : ଅଜୁଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଏବେ ସେ ୮ ଜଣଙ୍କୁ ରୋଜଗାର ଦେବାକୁ ବି ସକ୍ଷମ ହୋଇପାରିଛନ୍ତି । ପାଟଣାଗଡ଼ ପାଖ ଭଏଁସାର ନିବାସୀ ଅଜୁ । +୨ ପାଠ ପଢ଼ି ସାରିବା ପରେ ସେ ଅର୍ଥ ଉପାର୍ଜନ ପାଇଁ ଚିନ୍ତା କରି ନିଜ ଚାଷ ଜମିରେ ଏକ ଫାର୍ମ ହାଉସ କରି ୨୦୧୯ରୁ ପାଳ ଛତୁ ଚାଷ ଆରମ୍ଭ କଲେ । ଛତୁ ଚାଷ ସହ କିଛି କିଛି ପନିପରିବା ଚାଷ ବି କରୁଛନ୍ତି । ତେବେ ଛତୁ ଚାଷ ତାଙ୍କୁ ବେଶ୍ ସଫଳତା ପ୍ରଦାନ କରିଛି । ତାଙ୍କ ଚାଷରୁ ପ୍ରତ୍ୟହ ସେ ୫୦ରୁ ୬୦ କିଲୋ ଛତୁ ଆଦାୟ କରୁଛନ୍ତି । ପ୍ରତି ମାସରେ ଏବେ ସବୁ ଖର୍ଚ୍ଚ ଯାଇ ସାରିବା ପରେ ୪୦ରୁ ୫୦ ହଜାର ଟଙ୍କା ଉପାର୍ଜନ କରୁଛନ୍ତି । ତାଙ୍କ ପରିବାରର ସମସ୍ତେ ତାଙ୍କୁ ଏବେ ଛତୁ ଚାଷରେ ବିଶେଷ ସହଯୋଗ କରୁଛନ୍ତି । ସେ ଏବେ କୌଣସି ଚାକିରି ପାଇଁ ବି ଆଉ ଲାଳାୟିତ ନୁହନ୍ତି । ନିଜ ଗୋଡ଼ରେ ନିଜେ ଠିଆ ହେବାରେ ଗୋଟେ ଭିନ୍ନ ସ୍ୱାଦ ଥାଏ । ସେହି ସ୍ୱାଦରେ ଏବେ ବେଶ୍ ସନ୍ତୁଷ୍ଟ ଅଜୁ । ଆସନ୍ତୁ ଅଜୁଙ୍କ ମୁହଁରୁ ଶୁଣିବା ତାଙ୍କ ସଫଳତାର କଥା ।