ସ୍କ୍ରବ ଟାଇପସ୍‌ ସଂକ୍ରମଣରେ ଜଣେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଡୁଙ୍ଗୁରିପାଲି ଗାଁରେ ସ୍କ୍ରବ ଟାଇଫସ ସଂକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଡୁଙ୍ଗୁରିପାଲିଗାଁର ନମ୍ରତା ମହାକୁଡ଼ । ଏହା ନୂଆପଡ଼ା ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟଣା । ନମ୍ରତା ମିଶନ ଶକ୍ତି ବିଭାଗରେ କମ୍ୟୁନିଟି ରିସୋର୍ସ ପରସନ(ସିଆରପି)ରେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ । ଗତ କିଛିଦିନ ହେବ ବୁଦ୍ଧିକୋମନା ପଞ୍ଚାୟତ ଅଞ୍ଚଳରେ ଚାଷଜମିର ଡିଜିଟାଲ ସର୍ଭେ କାମରେ ସେ ନିୟୋଜିତ ଥିଲେ । ଗତ ସପ୍ତାହକ ତଳେ ସେ ଡୁଙ୍ଗୁରିପାଲି ଗାଁରେ ଜିପିଏସ୍‌ ସର୍ଭେ କରୁଥିବା ବେଳେ ଚାଷଜମିରେ ଏକ କୀଟ କାମୁଡ଼ି ଦେଇଥିଲା । ପରେ ତାଙ୍କୁ ଭୀଷଣ ଜ୍ୱର ହେବା ସହ ଦେହହାତ ଜଳିବା ଆରମ୍ଭ ହୋଇଥିଲା ।
ଗତ ୨୨ ତାରିଖରେ ନମ୍ରତାଙ୍କୁ ପରିବାର ଲୋକେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ହେଲେ ଜ୍ୱର କମି ନଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ପରିବାର ଲୋକେ ନମ୍ରତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରବିବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସିଡିଏମ୍‌ଓ ଡା. ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.