ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆର ରାଉରକେଲା ଶାଖା ଓ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ତଳସ୍ତରର କର୍ମଚାରୀମାନଙ୍କର ଜ୍ଞାନ, ଦକ୍ଷତା ଓ ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଏକ ଦ୍ୱିଦିବସୀୟ ଆଲୋଚନାଚକ୍ର ଆସନ୍ତା ୨୩ ଓ ୨୪ ତାରିଖରେ ରିମ୍ସ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଅନୁଷ୍ଠାନର ୩୧ତମ ଏହି କାର୍ଯ୍ୟକ୍ରମରେ ୧୯୭ଟି ସର୍କଲର ୯୦୦ ପ୍ରତିଯୋଗୀ ଓ ପ୍ରତିନିଧି ଅଂଶଗ୍ରହଣ କରିବେ । ୨୨ଟି ପ୍ରମୁଖ ଅନୁଷ୍ଠାନ ଆର୍ଏସ୍ପି, ବିଭିନ୍ନ ମାଇନ୍ସ, ଟାଟା ଷ୍ଟିଲ, ଟାଟା ପାୱାର, ବେଦାନ୍ତ, ହିଣ୍ଡାଲକୋ ଭଳି ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଯୋଗଦେବେ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ରାଉରକେଲା ଶାଖାର ସଂପାଦକ ସୁରେଶ ଚନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ଅଜୟ ପାଣ୍ଡେ, ଇଂ ବିଭୁ ପ୍ରସାଦ, ଏସ୍ଆର୍ ସୂର୍ଯ୍ୟବଂଶୀ, ଡଃ ଆର୍ଯ୍ୟ ପଟ୍ଟନାୟକ, ବିବେକ ସାକ୍ସେନା ପ୍ରମୁଖ ଅତିଥି ଭାବେ ଯୋଗଦେବେ । ମୁଖ୍ୟଅତିଥି ଭାବେ ଶ୍ରୀ ପ୍ରସାଦ ୫ ସୂତ୍ରୀ କାର୍ଯ୍ୟକ୍ରମ ଓ ଏହି କାର୍ଯ୍ୟକ୍ରମରେ ସଫଳତା ଲାଭ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବରରେ ନାଗପୁରରେ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ । ସେହିପରି ୨୪ ତାରିଖ ଦିନ ଅତିଥି ଭାବେ ଡଃ ରାଜେଶ ସିଂହ, ସୁନିଲ୍ କୟାଲ, ଏସି ସରକାର, ଏସ୍କେ ସୁବୁଦ୍ଧି ଓ ଓପି ଅଗ୍ରୱାଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆବାହକ ତଥା ସଚିବ ଶ୍ରୀ ପ୍ରସାଦ ଅନୁରୋଧ କରିଛନ୍ତି ।