ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠୀର ମିଶ୍ର ଆଇନ ମହାବିଦ୍ୟାଳୟଠାରେ ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଛି । ବର୍ଷକ ବାର ମାସ ଓ ତେର ପର୍ବମାନଙ୍କ ମଧ୍ୟରୁ ଗଣେଷ ପୂଜା ଅନ୍ୟତମ । ବିଦ୍ୟାଧିପତି ହେଉଛନ୍ତି ଗଣେଶ । ସେ ମଧ୍ୟ ଅଗ୍ରପୂଜ୍ୟ । ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କର ପୂଜା ଅନୁଷ୍ଠିତ ହୁଏ । ସେ ବିଘ୍ନ ବିନାଶକ ଗଣାଧିପତି । ସୁତରାଂ ସର୍ବତ୍ର ତାଙ୍କର ପୂଜା କରାଯାଏ । ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପୂଜା ଭଗବାନଙ୍କ ଜନ୍ମ ବାର୍ଷିକ ଭାବରେ ପାଳନ କରାଯାଏ । ଗଣେଶ ପୂଜା ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦିଏ । ବିନାୟକଙ୍କୁ ଭକ୍ତି ସହକାରେ ପୂଜା କଲେ ରିଷ୍ଟ ଖଣ୍ଡନ ହୁଏ, ବିଦ୍ୟା ବୁଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଏହି ପର୍ବଟି ଛାତ୍ରଛାତ୍ରୀଙ୍କ ମନରେ ପରସ୍ପର ପ୍ରତି ସ୍ନେହ ଓ ଭାତୃ ଭାବ ବୃଦ୍ଧି କରାଇଥାଏ । ଆଇନ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଫିସ କର୍ମଚାରୀ ଓ ଛାତ୍ର ଛାତ୍ରୀ ପୂଜାରେ ଉପସ୍ଥିତ ଥିଲେ ।