ନୂଆଁଖାଇ ପାଇଁ ସହାୟତାର ହାତ ବଢାଇଲେ ବଳଧା ସରପଞ୍ଚ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବୁଧବାର ଦିନ ପଶ୍ଚିମ ଓଡ଼ିଶାର ଘରେ ଘରେ ମହାନ ଗଣପର୍ବ ନୂଆଁଖାଇ ପାଳନ ହେବ ସେନେଇ ଗାଁଠୁ ସହର ସବୁଠି ଚଳ ଚଞ୍ଚଳ ହେଉଥିବା ଦେଖିବାକୁ ମିଳିଛି । ଏ ପରିସ୍ଥିତିରେ ଅଞ୍ଚଳର ଥିବା ଅସହାୟ ଅବସ୍ଥାରେ ଥିବା ଗରିବ, ବୃଦ୍ଧବୃଦ୍ଧା, ବିଧବାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକବଳଧା ପଞ୍ଚାୟତର ସରପଞ୍ଚ ରାଜକୁମାରି ବେଶ୍ରା । ବଳଧା ପଞ୍ଚାୟତର ବଳଧା, ସାନମୂଳା, ଖାତିମୁଣ୍ଡା, ବର୍ଲାବାହାଲି, ସିନ୍ଧିଭାଡ଼ି ପ୍ରମୁଖ ଗାଁକୁ ଘର ଘର ବୁଲି ୫୦ରୁ ଅଧିକ ଅସହାୟ, ଗରିବ, ବୃଦ୍ଧ, ବୃଦ୍ଧା, ବିଧବାଙ୍କୁ ନୂଆଖାଇ ପାଇଁ ୧ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳଧା ସରପଞ୍ଚଙ୍କ ପ୍ରତିନିଧି ସଦାନନ୍ଦ ତାଣ୍ଡି, ଯୁବନେତା ଲମ୍ବୋଦର ବେହେରା, କେଶବ ପୁଞ୍ଜି, ବିଶ୍ୱନାଥ ମିଶ୍ର, ଚିନ୍ତାମଣି ଛଞ୍ଚାଣ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଅନେକ ଗରିବ ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଜାଣି ଏହିଭଳି ସହାୟତାର ହାତ ବଢ଼ାଇ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ସହାୟତା କରିଥିବା ଯୋଗୁଁ ଅସହାୟଙ୍କ ମୁହଁରେ ହସ ଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତ ଜିଲ୍ଲାର ଶେଷ ସୀମାରେ ରହିଛି । ଏହି ଭଳି ଅସହାୟ ଲୋକଙ୍କୁ ବଳଧା ପଞ୍ଚାୟତର ସରପଞ୍ଚ ସହାୟତାର ହାତ ବଢ଼ାଇ ଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

Leave A Reply

Your email address will not be published.