ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ : ମନ୍ଦିରରେ ଅତି ସୁନ୍ଦର ସାଜସଜ୍ଜା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଓ ଗୁରୁବାର ନନ୍ଦ ଉତ୍ସବ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଅତି ସୁନ୍ଦର ଭାବରେ ସାଜସଜ୍ଜା ସହ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ।
ସହରର ଠିକାଦାରପଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ବାହାରେ ଅତି ସୁନ୍ଦର ଲାଇଟ ସାଜସଜ୍ଜା ସାଙ୍ଗକୁ ଭିତରେ ଫୁଲ ଦ୍ବାରା ପ୍ରଭୁଙ୍କୁ ଅତି ସୁନ୍ଦର ଭାବରେ ସଜା ହୋଇଛି । ମନ୍ଦିର ଭିତର ପଟର ଉପର ପଟେ ବହୁତ ସୁନ୍ଦର ଭାବରେ ସଜା ହୋଇଥିବା ବେଳେ ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ, ସଙ୍କୀର୍ତ୍ତନ ସହ କୃଷ୍ଣ ଜନ୍ମ ପାଳନ ନେଇ ମନ୍ଦିର କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିବା ବେଳେ ନନ୍ଦ ଉତ୍ସବ ପାଇଁ ଛୋଟ ଛୋଟ ଛୁଆମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ପ୍ରଭୁଙ୍କ ପାଖରେ ନୃତ୍ୟ ପରିବେଷଣ କରିବା ପରେ ଭକ୍ତଙ୍କ ନିମନ୍ତେ ଏକ ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା । ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଝୁଲାରେ ଝୁଲାଇ ଅଦ୍ଭୁତ ଖୁସି ପାଇଥିଲେ ବୋଲି ସଭାପତି ପ୍ରକାଶ ଅଗ୍ରୱାଲ କହିଛନ୍ତି ।
ସେହିପରି ରଘୁନାଥପଡ଼ା ରାଧାକୃଷ୍ଣ ମନ୍ଦିର ତରଫରୁ ମଧ୍ୟ ଫୁଲ ଓ ଲାଇଟ ଦ୍ୱାରା ଅତି ସୁନ୍ଦର ଭାବରେ ମନ୍ଦିର ବାହାର ଏବଂ ଭିତରେ ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ସଜ୍ଜିତ କରଯାଇଛି । ନନ୍ଦ ଉତ୍ସବ ପାଇଁ ମହିଳାମାନେ ଏକଜୁଟ ହୋଇ ପ୍ରଭୁଙ୍କ ଗୀତରେ ନିଜକୁ ସମର୍ପଣ କରି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଏକ ଛୋଟ ଶିଶୁଙ୍କୁ କୃଷ୍ଣ ବେଶରେ ସଜାଇ ତାଙ୍କୁ କାନ୍ଧରେ ବସାଇ ସମସ୍ତେ ଫୁଲର ହୋଲି ଖେଳି ଅତି ସୁନ୍ଦର ଭାବରେ ନନ୍ଦ ଉତ୍ସବ ପାଳନ କରିଥିଲେ । ପ୍ରଭୁଙ୍କ ଦର୍ଶନ ନିମନ୍ତେ ସକାଳୁ ଉଭୟ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ ଯୋଗୁଁ ସହର ସାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସାରା ସହର କୃଷ୍ଣମୟ ହୋଇ ଉଠିଥିଲା ।