ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ଗନ୍ଧରାବନ୍ଧ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ଗାଁର କିଶୋର ନାଏକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ସେହିପରି ଗାଁର ନିଲା ଛୁରା ସେ ମଧ୍ୟ ଘରେ ଏକୁଟିଆ ରହନ୍ତି । ତାଙ୍କ ପୁଅ ବୋହୂମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ବର୍ଷା ହେଲେ ଅନ୍ୟ ଲୋକର ପିଣ୍ଢାରେ ଆଶ୍ରୟ ନେଉଛନ୍ତି । ସେହିପରି ମୁକେଶ ଛୁରାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଗାଁର ଯୁଗଳ ପୁଟେଲଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଘର ସଜାଡ଼ିବା ପାଇଁ ମଧ୍ୟ ନିଜର ସକ୍ଷମ ନାହାନ୍ତି । ବିଭିନ୍ନ ସମୟରେ ପକ୍କା ଘର ପାଇବା ପାଇଁ ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଯୋଗା ଯୋଗ କରିବାରୁ, ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।