ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ କୋଶଲୀ/ସମ୍ବଲପୁରୀ ଭାଷା, ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟର ନୁତନ ଶ୍ରେଣୀ ଗୃହ, ପ୍ରଶାସନିକ ଭବନ ଓ କ୍ୟାନ୍ଟିନ୍ ଗୃହର ଭିତ୍ତି ପ୍ରସ୍ସ୍ତର ସ୍ଥାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ପଦ୍ମଶ୍ରୀ ହଲଧର ନାଗଙ୍କ ସହିତ ଭୂମି ପୂଜନ କରିଛନ୍ତି । କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ତରଣୀସେନ ବେହେରାଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିମନ୍ୟୁ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଅଶୋକ କୁମାର ପୂଜାହାରୀ, ସଭାପତି ସୁଶାନ୍ତ କୁମାର ମିଶ୍ର, ମୋହନ ସିଂ କହ୍ନେଇ, ଦିଲୀପ କୁମାର ଦେବତା, ସୁକୁମାର ଭୋଇ, ଅଧିକାରୀ ସା, ସ୍ବାଧିନ ଭୋଇ, ଅଧ୍ୟାପକ କୃଷଚନ୍ଦ୍ର ପଣ୍ତା, ଅଧ୍ୟାପିକା ସ୍ବରୂପମା ମିଶ୍ର, ବ୍ଲକ ବିଡିଓ ବିଶ୍ବରଞ୍ଜନ କର, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଅଶୋକ ବେହେରା, କନିଷ୍ଠ ଯନ୍ତ୍ରୀ ଦିଲୀପ ମେହେରଙ୍କ ସମେତ କବି, ଲେଖକ, ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଛତ୍ରଛତ୍ରୀ, ଗଣ୍ୟମାନ୍ୟ ବ୍ୟକ୍ତି, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ଲୋକକବି ହଲଧର ନାଗ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ କବିଙ୍କୁ ନବୀନ ନିବାସ ଆମନ୍ତ୍ରଣ କରି ୨୦୧୬ ମସିହାରେ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ କବିଙ୍କ ଜନ୍ମିତ ଗ୍ରାମ ବରଗଡ଼ ଜିଲ୍ଲା ଘେଁସ ଠାରେ ହଲଧର ନାଗଙ୍କ ନାମରେ ଭାଷା ଓ ସାହିତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ଏହାପରେ ସୋହେଲା ନିକଟସ୍ଥ ଇଛାପାଲି ଠାରେ ଅନୁଷ୍ଠିତ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣା କେନ୍ଦ୍ରର ଭିତି ପ୍ରସ୍ଥର ସ୍ଥାପନ କରିଥିଲେ । ଉକ୍ତ କେନ୍ଦ୍ରର ଭବନ ନିର୍ମାଣ ପାଇଁ ପ୍ରାଥମିକ ପର୍ୟ୍ୟାୟରେ ରାଜ୍ୟ ସରକାର ୨୫ ଲକ୍ଷ୍ୟ ମଞ୍ଜୁର କରିଥିବା ବେଳେ ଏହାର ନିର୍ମାଣ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ଗବେଷଣା କେନ୍ଦ୍ର ମାଧ୍ୟମରେ କୋଶଲୀ/ସମ୍ବଲପୁରୀ ଭାଷା, ସାହିତ୍ୟର ପାଣ୍ତୁଳିପି ସଂଗ୍ରହ, ଅଧିକ ଗବେଷଣା ସମେତ ଉନ୍ନୟନ କାର୍ୟ୍ୟ ହୋଇପାରିବ ବୋଲି ଜଣାଯାଇଛି । ତେଣୁ ପଶ୍ଚିମ ଓଡିଶାର କବି, ଲେଖକ, ବୁଦ୍ଧିଜୀବୀ ତଥା ସଚେତନ ମହଲରେ ଖୁସି ପ୍ରକାଶ ପାଇଛି ।