jayashree

ସୁଦପଡାରେ ଆକ୍ରମଣ କରି ଲୁଟ୍‌ ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦପଡାଠାରେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୁକ୍ତକୁ ବଲାଙ୍ଗିର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ଜୁଲାଇ ୧୩ ତାରିଖ ଦିନ ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ସୁଦପଡା ନିବାସୀ ରମଣି ରଞ୍ଜନ ଷାଣ୍ଢ ଲୁଟ୍ ଓ ଆକ୍ରମଣର ଶିକାର ହୋଇଥିଲେ । ଦୁଇ ଜଣ ଦୁର୍ବୃତ୍ତ ରମଣିଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୪ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍‌ ଲୁଟି ନେଇଥିବା ନେଇ ୧୪ ତାରିଖ ଦିନ ବଲାଙ୍ଗିର ଟାଉନ୍ ଥାନାରେ ରମଣି ଲିଖିତ ଅଭିଯୋଗ କରିଥିଲେ । ଆକ୍ରମଣ ଓ ଲୁଟ୍ କରିଥିବା ଏହି ଦୁଇ ଜଣ ଦୁର୍ବୃତ୍ତ ବେହେରାପାଲିର ସିଆଣି ସାଗର ଓ ସୁଦପଡ଼ାର ଗୁଜୁ ରଣା ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା । ଏ ସଂକ୍ରାନ୍ତରେ ଘଟଣାର ୬ ଦିନ ପରେ ବଲାଙ୍ଗିର ଟାଉନ୍ ପୋଲିସ ଅଭିଯୁକ୍ତ ସିଆଣିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଗୁଜୁ ରଣା ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.