ହଜି ଯାଇଥିବା ମୋବାଇଲକୁ ଖୋଜି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କଲେ ଜଗଦଳପୁର ଥାନା ଆଇଆଇସି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅଞ୍ଚଳରୁ ଗୋଟିଏ ମୋବାଇଲ ଗତ ଫେବୃୟାରୀ ମାସ ୨ ତାରିଖରେ ହଜି ଯାଇଥିଲା । ଯାହାର ଅଭିଯୋଗ ଜଗଦଳପୁର ଥାନାରେ ଦିଆଯାଇଥିଲା । ଦୀର୍ଘ ପାଞ୍ଚମାସ ପରେ ଜଗଦଳପୁର ଥାନା ଆଇଆଇସି ଶ୍ରୀମତୀ ସୁଷମା କୁଅଁରଙ୍କ ଦ୍ୱାରା ଟ୍ରାକିଙ୍ଗ ଆଧାରରେ ସୂଚନା ମିଳିଥିଲା ଯେ, ବର୍ତ୍ତମାନ ମୋବାଇଲଟି କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ପୋଲିସ ଷ୍ଟେସନ ଗିରିଗାଁ ଗ୍ରାମର ରାକେଶ ଜେନା ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ରହିଛି । ସୂଚନାକୁ ଆଧାର କରି ଗତ ତା ୦୯ ତାରିଖ ମୋବାଇଲ ମାଲିକଙ୍କ ସହ ଥାନାର ଜଣେ କନେଷ୍ଟେବଳ କମଳ ହାଦସା ଆବଶ୍ୟକୀୟ କାଗଜପତ୍ର ନେଇ ନନ୍ଦିପଦା ପୋଲିସ ଷ୍ଟେସନରେ ପହଞ୍ଚି ଥିଲେ । ନନ୍ଦିପଦା ପୋଲିସ ଷ୍ଟେସନର ଆଇଆଇସି ଏନ୍‌. ଦଳେଇ କାଗଜପତ୍ର ଯାଞ୍ଚ କଲା ପରେ ରାକେଶ ଜେନାଙ୍କୁ ଖୋଜି ତାଙ୍କଠାରୁ ମୋବାଇଲ ଆଣି ଜଗଦଳପୁର କନେଷ୍ଟେବଳ କମଳ ହାଦସାଙ୍କ ହାତରେ ଦେଇଥିଲେ । ତେବେ ଗତକାଲି ଜଗଦଳପୁର ଆଇଆଇସି ଶ୍ରୀମତୀ ସୁଷମା କୁଅଁର ମୋବାଇଲର ମାଲିକ ହରେକୃଷ୍ଣ ପଟେଲଙ୍କୁ ହସ୍ତାନ୍ତର କରିଥିଲେ । ଲୋକେ ଏ ଖବର ଶୁଣି ଜଗଦଳପୁର ଥାନାଧିକାରିଣୀ ଶ୍ରୀମତୀ କୁଅଁରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.