ଆକାଶବାଣୀ ଗୀତିକାର ତଥା କାଷ୍ଠ କଳା ଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ନେତ୍ରାନନ୍ଦ ବାରିକ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର, କାଷ୍ଠ କଳା ଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ପ୍ରଖ୍ୟାତ ସାରସ୍ୱତ ପୁରୁଷ ନେତ୍ରାନନ୍ଦ ବାରିକ(୬୯) ଆଜି ଅପରାହ୍ନ ୪ଟା ୧୫ ମିନିଟ୍‌ ସମୟରେ ଖୁଜେନ୍‌ପାଲି ସ୍ଥିତ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । କିଛି ବର୍ଷ ହେଲା ତାଙ୍କ ଅସୁସ୍ଥତା ଲାଗି ରହିଥିଲା । ତେବେ ତାଙ୍କ ଭଳି ଜଣେ ସୁଦକ୍ଷ ମାଟିର ମଣିଷ ତଥା ସାରସ୍ୱତ ପୁରୁଷଙ୍କୁ ହରାଇ ବଲାଙ୍ଗିର ମାଟି ଅପୂରଣୀୟ କ୍ଷତିକୁ ସାମ୍ନା କରିଛି ବୋଲି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ କହିଛନ୍ତି । ସ୍ୱର୍ଗତ ବାରିକଙ୍କ ଦ୍ୱାରା ରଚିତ ଗୀତି କବିତା ସଂକଳନ ‘ତୁକୁଡ଼ା କାଁଚେ ଚାନ୍ଦ’, କଥାନୀ ପୁସ୍ତକ ‘କୋଶଲୀ କଥାନୀ’ ତଥା ନାଟକ ‘ଅ ରୁ କ୍ଷ’ ସାହିତ୍ୟ ଜଗତ ପାଇଁ ଅମୂଲ୍ୟ ଉପହାର । ତାଙ୍କର ପ୍ରଥମ ବେତାର ନାଟକ ହେଉଛି ‘ଭାଙ୍ଗ୍‌ଡ଼ୁବି’, ଯାହା ଏବେ ବି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରେ । କାଷ୍ଠ କଳାରେ ସେ ଜଣେ ନିପୁଣ କଳାକାର ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ଅନେକ କ୍ୟାସେଟ୍‌ ଭିତରୁ ‘ଭାଏ ଜୁଇଁତିଆ’ ଓ ‘ରାସଲୀଳା’ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ବହୁ ଚର୍ଚ୍ଚିତ ସିନେମା ‘ଭୁଖା’ରେ ସେ ପ୍ରଡକ୍‌ସନ୍‌ କଂଟ୍ରୋଲର୍‌ ଦାୟିତ୍ୱ ନେଇଥିବା ବେଳେ ସେହି ସିନେମାର ଗୀତଗୁଡ଼ିକ ନିଜେ ରଚନା କରିଥିଲେ ଓ ହୃଦୟସ୍ପର୍ଶୀ ଅଭିନୟ ମଧ୍ୟ କରିଥିଲେ । ସେହିପରି ‘ଆଦିମ୍‌ ବିଚାର’, ‘ଶଲାବୁଢ଼ା ବଦ୍‌ଲା’, ‘ପାର୍ବତୀଗିରି’, ‘ଜୟ ଜଗନ୍ନାଥ‘ ଆଦି ସିନେମାରେ ସେ ଅଭିନୟ କରି ବିଶେଷ ସୁନାମ ଅର୍ଜନ କରିଥିଲେ । ସାମୁହିକ ଭାବେ କହିବାକୁ ଗଲେ ଜଣେ ହୃଦୟବାନ ମାଟିର ମଣିଷ ସାରସ୍ୱତ ପୁରୁଷ ନେତ୍ରାନନ୍ଦ ବାରିକଙ୍କ ଦେହାନ୍ତ କୋଶଲ ମାଟି ପାଇଁ ନିହାତି ଅପୂରଣୀୟ କ୍ଷତି ବୋଲି କଳାକାର, ସାହିତ୍ୟିକ ଜଗତରେ ମତପ୍ରକାଶ ପାଇଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.