csstore

ଜର୍ମାନୀରେ ଆରମ୍ଭ ହେଇଥିବା ଆନ୍ତର୍ଜାତୀୟ ଧାତବ ବାଣିଜ୍ୟ ମେଳାରେ କଳାହାଣ୍ଡିର ଯୁବଦ୍ୟୋଗୀ ବିଭୁ ପ୍ରସାଦ

ମ.ରାମପୁର, (ହେମନ୍ତ ସାହୁ) : ଜର୍ମାନୀର ଡୁସେଲଡ଼ର୍ଫଠାରେ ଆରମ୍ଭ ହୋଇଥିବା ଦ ବ୍ରାଇଟ୍ ୱାର୍ଡ଼ ଅଫ୍ ମେଟାଲ ଶିର୍ଷକ ସମ୍ମିଳନୀ (ଆନ୍ତର୍ଜାତୀୟ ଧାତବ ବାଣିଜ୍ୟ ମେଳା) ବିଶ୍ଵର ଅଗ୍ରଣୀ ବାଣିଜ୍ୟ ମେଳାରେ ଓଡ଼ିଶାର ଯୁବଦ୍ୟୋଗୀ ଯୋଗଦେଇଛନ୍ତି । ନିଜର ସ୍ୱତନ୍ତ୍ର ଜ୍ଞାନ କୌଶଳ ପ୍ରୟୋଗ କରି ଧାନ ମିଲରୁ ବାହାରୁଥିବା ପାଉଁଶକୁ ଉପଯୋଗ କରି ଏକ ଗୁଳା ପ୍ରସ୍ତୁତ କରି ବିଦେଶକୁ ରପ୍ତାନୀ କରିବାରେ ସଫଳ ହୋଇଥିବା ଯୁବ ଉଦ୍ୟୋଗୀ ବିଭୂପ୍ରସାଦ ସାହୁ ଜର୍ମାନୀ ଯାଇ ସୋମବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡିଛି । ବିଶ୍ୱର ପାଞ୍ଚ ଶହରୁ ଅଧିକ ପ୍ରଦର୍ଶକ ସେମାନଙ୍କ ଉତ୍ପାଦ ଓ ସମାଧାନ ବିଷୟରେ ଉପସ୍ଥାପନ କରିବେ । ଏହି ମେଳାରେ ଇସ୍ପାତ ଉତ୍ପାଦନ, ଧାତୁର ପୁନଃ ବ୍ୟବହାର, ସାମଗ୍ରୀ ପରୀକ୍ଷା ଓ ବିଶ୍ଲେଷଣ, ଶକ୍ତି ଦକ୍ଷତା ଏବଂ ପରିବେଶ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ରହିଛି । ଶିଳ୍ପର ଅତ୍ୟାଧୁନିକ ବିକାଶ ବିଷୟରେ ଧାତବ ବିଦ୍ୟା ବ୍ୟବସାୟୀମାନଙ୍କ ପାଇଁ ଏକ ନିଆରା ସୁଯୋଗ ମିଳିବ । ଧାତବ ଶିଳ୍ପରେ ଅତ୍ୟାଧୁନିକ ଉଦ୍ଭାବନ ଓ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ଓ ଉପସ୍ଥାପନ ପାଇଁ ଏହି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ବ୍ୟବସାୟୀମାନଙ୍କୁ ପ୍ରଦାନ କରେ । କମ୍ପାନୀ ଓ ଉଦ୍ୟୋଗୀମାନଙ୍କ ସହିତ ଏହି ମେଳାରେ ନିଜର ବ୍ୟବସାୟିକ ସଫଳତା ସହିତ ଏହି ଉଦ୍ୟୋଗର ଉପଯୋଗ ସଂପର୍କରେ ଆଲୋଚନା କରିବେ ଏବଂ ଅନ୍ୟ ଉଦ୍ୟୋଗୀମାନଙ୍କ ଠାରୁ ଜ୍ଞାନକୌଶଳ ଆହରଣ କରିବେ ବୋଲି ଜଣାଯାଇଛି । ପ୍ରତ୍ୟେକ ଚାରି ବର୍ଷରେ ଥରେ ହେଉଥିବା ଏହି ମେଳାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସେ ଯୋଗ ଦେଇଛନ୍ତି ।

jayashree
Leave A Reply

Your email address will not be published.