ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ବିଜେଡି ନେତା ଓ ମ୍ୟୁନିସିପାଲିଟି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୪ ପରବର୍ତ୍ତୀ ସମୟରୁ ବଲାଙ୍ଗିରର ସମସ୍ତ ବନ୍ଧ କଣ୍ଟାର ଉନ୍ନତିକରଣ ପାଇଁ ଅନବରତ ଚେଷ୍ଟା ଚାଲିଛି । ଏପରିକି ସେ ସମୟର କେନ୍ଦ୍ରମନ୍ତ୍ରୀ ଉମାଭାରତୀଙ୍କୁ ଶହେ କୋଟିର ଅନୁଦାନ ମଗା ଯାଇଥିଲା । କେନ୍ଦ୍ର ସରକାର ସେ ସମ୍ବନ୍ଧରେ ଏକ ସକାରାତ୍ମକ ରିପୋର୍ଟ ଚାହିଁ ଥିଲେ । କିନ୍ତୁ ରାଜ୍ୟସରକାରଙ୍କୁ ବାରମ୍ବାର ଏ ସଂକ୍ରାନ୍ତରେ ଅନୁରୋଧ କରିବା ସତ୍ୱେ ସେହିି ରିପୋର୍ଟ ଯୋଜନା ସମାପ୍ତ ହେବା ପରେ ପଠାଇଲେ । ଏବେ ମଧ୍ୟ ମାହାରାଣୀ ସାଗର, ରାଣୀ ବନ୍ଧ ତଥା କରଙ୍ଗାକଣ୍ଟା ପାଇଁ ବହୁ କୋଟି ଟଙ୍କା ଆସି ପଡି ରହିଛି । ବଲାଙ୍ଗିର ମ୍ୟୁନିସିପାଲିଟି ତଥା ସ୍ଥାନୀୟ ବିଜେଡି ନେତା ଏହି ଉନ୍ନତି ମୁଳକ କାମ ଗୁଡିକୁ ବିରୋଧ କରି ବନ୍ଧ କରିଛନ୍ତି । ଓଲୋଟା ସେମାନେ ସାମ୍ବାଦିକ ସମ୍ମିଳନୀ କରି ମୋର ପ୍ରଚେଷ୍ଟାରେ ଆସିଥିବା ଅନୁଦାନ ଉପରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି । ଖାଲି ଏତିକି ନୁହେଁ, ସେମାନେ କିଛି ଦିନ ପୁର୍ବରୁ ଯୋଉ ଚିଠି ଗୁଡିକୁ ଉପସ୍ଥାପନା କରି ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି, ସେ ଚିଠିଗୁଢିକ ହିଁ ସେମାନଙ୍କ ମିଥ୍ୟାର ଖୁଲାସା କରୁଛି ବୋଲି ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ମ୍ୟୁନିସିପାଲିଟି ଓ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଲାଙ୍ଗିରର ବିଜେଡି ରାଜନେତାମାନେ ବଲାଙ୍ଗିରରେ ଦୀର୍ଘ ୨୪ ବର୍ଷ ଧରି ବିଧାୟକ, ମନ୍ତ୍ରୀ ଓ ସାଂସଦ ହୋଇ ରହିଥିଲେ । ସେହି ସମସୟରେ ସେମାନେ ଲୋକଙ୍କୁ ଭୁଆଁ ବୁଲାଇ, ବଲାଙ୍ଗିରର କିଛି ବିକାଶ ନକରି କେବଳ କ୍ଷମତା ଉପଭୋଗ କରି ଲୋକଙ୍କୁ ସେହି ଭୁଆଁ ବୁଲାଇବା କୌଶଳ ବର୍ତ୍ତମାନର ନିର୍ବାଚିତ ପୌରାଧକ୍ଷା ତାଙ୍କର ରାଜନିତୀ ଗୁରୁମାନଙ୍କ ଠାରୁ ଅନୁସରଣ କରୁଛନ୍ତି । ଯେପରିକି ଦ୍ୱିତୀୟ ପର୍ୟ୍ୟାୟରେ ମହାରଣୀସାଗରକୁ ଆସିଥିବା ଅନୁଦାନ କୁ , ପୌରାଧକ୍ଷା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ଆସିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । କିନ୍ତୁ ସେ ଯେଉଁ ଚିଠି ଓ ତଥ୍ୟକୁ ନେଇ କହିଥିଲେ, ସେହି ଚିଠିରେ ସ୍ପଷ୍ଟ ଭାବରେ ଦ୍ୱିତୀୟ ପର୍ୟ୍ୟାୟ ମାହାରଣୀ ସଗର ଉନ୍ନତିକରଣ ପାଇଁ ବାର କୋଟି ଟଙ୍କା ଅନୁଦାନ ରାଶି ଆସିଛି ବୋଲି ଉଲ୍ଲେଖ ରହିଛି । ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ମହାରାଣୀ ସାଗରକୁ ଆଗରୁ କେବେ ପଇସା ଆସି ନଥିଲା, ବଲାଙ୍ଗିର ବିଧାୟକ ଅନୁଦାନକୁ ନେଇ ଯାହା ଦାବୀ କରୁଛନ୍ତି ତାହା ସଂପୁଣ୍ଣ ମିଥ୍ୟା ବୋଲି ପ୍ରଚାର କରୁଥିଲେ । କିନ୍ତୁ ଏହି ଗଣମାଧ୍ୟମ ସମ୍ମିଳନୀ ମାଧ୍ୟମରେ ବଲାଙ୍ଗିରବାସୀ ଜାଣିବା ଆବଶ୍ୟକ ଯେ, ଏକ କେନ୍ଦ୍ରୀୟ ନିର୍ମାଣକାରୀ ସଂସ୍ଥା ଏନ୍‌ ବି ସିସି ସହ ସହମହାରାଣୀ ସଗରର କାମ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଏବଂ ଜାନୁଆରୀ ୭ତାରିଖ ୨୦୨୨ମସିହାରେ ଜିଲ୍ଲାପାଳ ଶ୍ରୀ ରାଣା, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଏ ଏବଂ ପୌରନିର୍ବାହୀ ଅଧିକାରୀ ଶ୍ରୀ ଦିପଙ୍କ ଉପସ୍ଥିତିରେ ମାହାରଣୀ ସାଗର ପ୍ରକଳ୍ପର ଭିତ୍ତପ୍ରସ୍ତର ଦିଆଯାଇଥିଲା । ଏହା ପୁର୍ବରୁ ଏହି ପ୍ରକଳ୍ପ ପାଇଁ ପ୍ରଥମ କିସ୍ତିରେ ୮କୋଟି ୩୩ ଲକ୍ଷ ଟାଙ୍କାର ଅନୁଦାନ ରାଶି ଆସି ସାରିଥିଲା । ଏପରିଭାବେ ବଲାଙ୍ଗିରର ପ୍ରତ୍ୟେକ ପ୍ରକଳ୍ପ ଯଥା ମହାରାଣୀ ସାଗର, ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟ, ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ, ଲକ୍ଷ୍ମୀ ଯୋର ପ୍ରକଳ୍ପ ପରି ମୁଖ୍ୟ ପ୍ରକଳ୍ପ ଗୁଡିକୁ ନିର୍ବାଚିତ ପୌର ପରିଷଦ ଓ ସ୍ଥାନୀୟ ବିଜେଡି ଦଳର ପୁର୍ବତନ ସାଂସଦ ବିରୋଧ କରି ବଲାଙ୍ଗିର ବିକାଶରେ ବାରମ୍ବାର ପ୍ରତିବନ୍ଧକ ସାଜୁଛନ୍ତି । ପୁର୍ବରୁ ମଧ୍ୟ ଗେଟ ସରୋବର, ବେହେରାପାଲି ବନ୍ଧକୁ ଆସିଥିବା ଅନୁଦାନ ଏମାନଙ୍କ ବିରୋଧ ଯୋଗୁଁ ଅଧପନ୍ତରିଆ କାମ ହୋଇ ଫେରି ଯାଇଥିଲା ବୋଲି ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ କ୍ଷୋଭର ସହ କହିଛନ୍ତି । ମହାରାଣୀ ସଗର ସମେତ ଅନେକ ବନ୍ଧ କଣ୍ଟା ପାଇଁ ମୋର ପ୍ରଚେଷ୍ଟାରେ ପର୍ୟ୍ୟାୟ କ୍ରମେ ଅନୁଦାନ ଆସୁଥିବା ଜାଣି ବିଜେଡିର ପୂର୍ବତନ ସାଂସଦ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ସଂପୃକ୍ତ ବିଭାଗ ଗୁଡିକୁ ପୁଣି ଥରେ ଚିଠି ଲେଖିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଶ୍ରୀ ମିଶ୍ର ରାଜପରିବାରକୁ ଟାର୍ଗେଟ କରିବା ସହ ଜନସାଧାରଣ ଏମାନଙ୍କ ଭୁଆଁ ବୁଲା ନିତିକୁ ଠିକ ଭାବେ ପରଖନ୍ତୁ ବୋଲିି କହିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର ଏବଂ ସନ୍ତକ ବହିଦାର ମଞ୍ଚାସୀନ ଥିବା ବେଳେ ନଗର ସଭାପତି ବୁଲୁ ଦାନୀ, ସେବାଦଳ ମୁଖ୍ୟ ଅସିତ ମିଶ୍ର, ବିରେନ୍ଦ୍ର ମିଶ୍ର, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, ଲୋପନ ମିଶ୍ର, ଅନନ୍ତ ବେହେରା, ଜୁଲୁ ପଟ୍ଟନାଏକ ଓ ଶୁଭ୍ରାଂଶୁ ପଣ୍ଡାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!