ଆସନ୍ତା ୭ ତାରିଖ ଦିନ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ମାଧ୍ୟମରେ ଦିନ ୧୧.୩୦ ସମୟରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିମାନେ ଯୋଗଦେବେ । ଆଗ୍ରାର ୧୫ ବାଟାଲିୟନ ପିଏସି ପରେଡ ପଡିଆରେ ଏହି ସମାରୋହ ଅନୁଷ୍ଠିତ ହେବ ।
ଆଗ୍ରା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ପଦେ……
ଆଗ୍ରା ମେଟ୍ରୋ ପ୍ରକଳ୍ପର ଦୈର୍ଘ୍ୟ ୨୯.୪ କିଲୋମିଟର ହୋଇଥିବା ବେଳେ ଏଥିରେ ଦୁଇଟି କରିଡର ରହିଛି । ଏହା ପର୍ୟ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦର ସହ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ସଂଯୋଗ କରୁଛି । ଏହି ପ୍ରକଳ୍ପ ଯୋଗୁଁ ଆଗ୍ରା ମହାନଗରୀର ୨୬ ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ଆଗ୍ରାକୁ ଆସୁଥିବା ୬୦ ଲକ୍ଷ ପର୍ୟ୍ୟଟକ ଉପକୃତ ହେବେ । ଏହା ଏକ ପରିବେଶ ଅନୁକୂଳ ମାସ୍ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ (ସର୍ବସାଧାରଣ ଦ୍ରୁତ ପରିବହନ ବ୍ୟବସ୍ଥା) ପ୍ରଦାନ କରିବ । ୫ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୮,୩୭୯.୬୨ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।
ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ସହ ଲକ୍ଷ୍ନୌ ମେଟ୍ରୋର ୨୩ କିଲୋମିଟର ଉତ୍ତର-ଦକ୍ଷିଣ କରିଡର, ସିସିଏସ ବିମାନ ବନ୍ଦରରୁ ମୁନସିପୁଲିଆ ପର୍ୟ୍ୟନ୍ତ ବାଣିଜ୍ୟିକ କାରବାର ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ ।

Leave A Reply

Your email address will not be published.