ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦେବୀପୁତ୍ର ମୁରଲୀ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଦେବୀପୁତ୍ର ମୁରଲୀ ଭୋଇ ନିଜ ୫୦ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ସମ୍ମାନିତ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଲୋଇସିଂହା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ, ଅଧ୍ୟାପକ ବିବେକାନନ୍ଦ ମିଶ୍ର, ଅଧ୍ୟାପକ ସନ୍ତୋଷ ଦାସ, କବି ରତ୍ନମୟ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷାବିତ ବିଭୁତି ଭୂଷଣ ସାହାଣୀ, ଜିଲା ପରିଷଦ ସଭ୍ୟା ଲିଲିମା ବେହେରା ପ୍ରମୁଖ ଯୋଗଦେଇଥିଲେ । ମା’ ଶାରଳାଙ୍କ କୃପାରୁ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଦୈବୀଶକ୍ତିର ବିନିଯୋଗ କରି ଶକ୍ତିପୀଠ ଜରିଆରେ ଅଞ୍ଚଳର ଉନ୍ନତି ପାଇଁ ଅନବରତ ପ୍ରଚେଷ୍ଟା ତଥା ଅସହାୟ ଓ ଅନଗ୍ରସର ପିଲାଙ୍କ ଶିକ୍ଷା ଓ ସେମାନଙ୍କ ବିବାହ କ୍ଷେତ୍ରରେ ଶ୍ରୀ ଭୋଇଙ୍କ ଅବଦାନକୁ ଉପସ୍ଥିତ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଗୁରୁଜନଙ୍କ ପଦଧୌତ ପୂର୍ବକ ମା’ ଶାରଳାଙ୍କ ପ୍ରତିକ ମାତୃଶକ୍ତିକୁ ବସ୍ତ୍ରଦାନ କରି ଶ୍ରୀ ଭୋଇ ନିଜର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ସରୋଜ ମହାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନିଶାର ଅହମ୍ମଦ ନିଶାର ଭଜନ ପରିବେଷଣ କରିଥିଲେ । ସିନିୟର ସିଟିଜନ ଆସେମ୍ବଲିର ବରିଷ୍ଠ ସଦସ୍ୟ ଗଜାନନ ଅଗ୍ରୱାଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ବଜରଙ୍ଗ ଦଳ ସଭାପତି ରବୀନ୍ଦ୍ର ପୁଟେଲ, ପ୍ରଦୀପ ସାହୁ, ବୁଲୁ ବହିଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଦେବେନ୍ଦ୍ର ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!