ଚକନିପଦର ଗାଁରେ ପାନୀୟ ଜଳ ପାଇଁ ଲୋକେ ହାହାକାର

  • ନାଳା ପାଣି ହିଁ ସାହା ଭରସା
  • ଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛିି । ସୂଚନା ଅନୁସାରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଉପାନ୍ତରେ ଥିବା ଆଦିବାସୀ ବହୁଳ ଚକନିପଦର ଗାଁରେ ବିଶୁଦ୍ଧ ପାନୀୟ ଜଳର ଦେଖା ଦେଇଛି ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା । ପିଇବା ପାଣି କେଉଁଠି ମିଳିବ । ଗାଁରେ ୧ ୱାର୍ଡ ବିଶିଷ୍ଟ ଥିବା ବେଳେ ମାତ୍ର ଗୋଟିଏ ନଳକୂପ ଅଛି । ଗୋଟିଏ ମାତ୍ର ନଳକୂପରେ ପାଣି ଅଳ୍ପ ଅଳ୍ପ କରି ସଂଗ୍ରହ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ପାଣି ପାଇଁ ଗାଁ ନିକଟରେ ଥିବା ଏକ ନାଳାକୁ ଯାଇ ସେଠାରୁ ପାଣି ସଂଗ୍ରହ କରିଥାନ୍ତି । ମଇଳା ପାଣିକୁ ସଂଗ୍ରହ କରୁଥିବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗଣିତ ହୋଇପଡିଛି ବୋଲି ଅଭିଯୋଗ ହୋଇଛି । ଖାଲି ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ଏହି ଆଦିବାସୀ ଗାଁକୁ ଗସ୍ତ କରି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି ଓ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଳେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହାରି ଆନ୍ତରିକତା ନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗାଁରେ ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କ ଘରକୁ ଘର ପାଣି ଯୋଗାଇବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ଏ ନେଇ ବଙ୍ଗୋମୁଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସମୀର ସୋରେନଙ୍କ ପ୍ରତିକ୍ରିୟା ନେବାରୁ, ଚକନିପଦର ଗାଁକୁ ମେଗା ପ୍ରୋଜେକ୍ଟରେ ନିଆ ଯାଇଛି । ଯଦି ପାଣି ସମସ୍ୟା ଥାଏ ତେବେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗାଁ ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲାରେ ଥିବା ବେଳେ ଗାଁକୁ ଯିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଗାଁରେ ଦେଖା ଦେଉଥିବା ପାନୀୟ ଜଳ ସମସ୍ୟା ପାଇଁ ଗୁହାରି କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଚକନିପଦର ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ କରୁଛି ।

Leave A Reply

Your email address will not be published.