centurian jitm

ଟିଟିଲାଗଡ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ ଜାରି : ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଲାଗି ରହିଛି ଚାପା ଉତ୍ତେଜନା

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ପୌର ପରିଷଦ ପକ୍ଷରୁ କରାଯାଉଛି, ତନ୍ମଧ୍ୟରୁ ହାଟପଦାପଡ଼ା ଓଭର ବ୍ରିଜ ଉପରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚୂଡାନ୍ତ ହେବା ପରେ ଟେଣ୍ଡର ମଧ୍ୟ ବାହାରି ସାରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ ପୌରପରିଷଦ ପକ୍ଷରୁ ଯେଉଁ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ହେବ ସେଠାରେ ରହୁଥିବା ଲୋକଙ୍କୁ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେବା ସହ ପ୍ରଥମେ ଦୁଇ ଦିନ, ତା’ପରେ ପ୍ରଶାସନ ସହ ଆଲୋଚନା କରିବା ପରେ ଆଉ ୨୨ ଦିନର ସମୟ ଦିଆଯାଇଥିଲା । ଜାଗା ଖାଲି ନ କରିବାରୁ ଶୁକ୍ରବାର ଦିନ ପୁଣି ଜାଗା ଖାଲି କରିବାକୁ ଘୋଷଣା କରିଥିଲେ । ସମୟ ପୁରିବା ପରେ ସୋମବାର ସକାଳୁ ଟିଟିଲାଗଡର ତହସିଲଦାର ଲଳିତ ବାଗ ଏବଂ ତହସିଲ କର୍ମଚାରୀ, ପୌରପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ ଏବଂ କର୍ମଚାରୀ, ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଫୋର୍ସ ପହଞ୍ଚି ଜାଗା ଖାଲି କରାଉଥିବା ବେଳେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ଜବର ଦଖଲ ଉଚ୍ଛେଦ ଖବର ପାଇ ବିସ୍ଥାପିତଙ୍କୁ ପ୍ରଥମେ ସରକାର ଥଇଥାନ ନ କରି କାହିଁକି ଘର ଭଙ୍ଗା ଯାଉଛି ବୋଲି ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ କ୍ଷୋଭ ପ୍ରକାଶ କରିଥିଲେ । ବିସ୍ଥାପିତ ଲୋକଙ୍କ ସହ ପ୍ରଶାସନ ଆଲୋଚନା କରିବା ପାଇଁ ହାଟପଦାପଡ଼ାର ଶୁଭ୍ରାଂଶୁ ଦାସ, ରବି ପଟ୍ଟନାୟକ, ନୀଳାମ୍ବର ମିଶ୍ର, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, କେପିଏସ୍‌ଏସ୍‌ର ସଂପାଦକ ଉପେନ୍ଦ୍ର ବାଗ ଆଲୋଚନା କରିଥିଲେ । କିନ୍ତୁ ପ୍ରଶାସନ ଏମାନଙ୍କୁ ଆଗରୁ ମହଲତ ଦେଇଥିଲା । ସେମାନେ ଖାଲି ନ କରିବାରୁ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେମାନେ କହିଥିଲେ । କିଛି ମହିଳା ପୋଲିସ ତଥା ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ ମଧ୍ୟ କରିଥିଲେ । ମହିଳାମାନେ ତାଙ୍କ ଘର ଭଙ୍ଗା ଯାଉଥିବାରୁ ଆମେ କୁଆଡେ ଯିବୁ ? ବିନା ଥଇଥାନ କରି କାହିଁକି ଆମ ଘର ଭାଙ୍ଗୁଛ ? ନେତା ମନ୍ତ୍ରୀ କଣ କଲେ ଆମ ପାଇଁ ? ଏତିକି ଖରାରେ ଆମ ପରିବାର ଧରି ଆମେ କୁଆଡେ ଯିବୁ ? ଘର ଭଡ଼ାରେ ରହିବା ପାଇଁ ଆମ ପାଖେ ସମ୍ବଳ ନାହିଁ ? ଆମେ କୁଆଡେ ଯିବୁ ? ପ୍ରଶାସନ ଅନ୍ଧ ଭଳିଆ କାହିଁକି ହେଉଛି ବୋଲି ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବୁଝାସୁଝା ଜାରି ରହିଛି ଏବଂ ଅନ୍ୟପଟେ ଜବର ଦଖଲ ଉଚ୍ଛେଦ ମଧ୍ୟ ଜାରି ରହିଛି । ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.