ଭିଡ଼ିଓ କନଫରେନ୍ସରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ସତ୍ୟବାଦୀ, (ଦିଲ୍ଲିପ କୁମାର ଧାଉଡିଆ) : ସାକ୍ଷୀଗୋପାଳ ସ୍ଥିତ ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ର ୧୦୦ତମ ଏପିସୋଡ଼ ପୂରଣ ପ୍ରସାରଣ କାର୍ଯ୍ୟକ୍ରମକୁ ଭିଡ଼ିଓ ମାଧ୍ୟମରେ ପୁରୀ ଜିଲ୍ଲା ଚାଷୀମାନଙ୍କୁ ରବିବାର ପ୍ରଦର୍ଶିତ ହୋଇଯାଇଛି । ୧୦୦ଟି ଏପିସୋଡ଼ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ୭ଟି କେବଳ କୃଷି କ୍ଷେତ୍ର ଓ କୃଷକ କଲ୍ୟାଣ ଉପରେ ପ୍ରଦର୍ଶନ କରାଯାଇଛି । ୯୫ତମ ଏପିସୋଡରେ ସେ କୃଷି କ୍ଷେତ୍ରରେ ଡ୍ରୋନର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଡ୍ରୋନ ଟେକ୍ନୋଲୋଜି କିପରି ହିମାଚଳର ସୁସ୍ୱାଦୁ କିନ୍ନୌର ସେଓ ଲୋକମାନଙ୍କୁ ଶୀଘ୍ର ପହଞ୍ଚାଇବା ସହ ଆମ କୃଷି ସମ୍ପ୍ରଦାୟର ଅପଚୟ ଓ ବ୍ୟୟ ରୋକିବାରେ ସକ୍ଷମ ହୋଇପାରିଛି ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା । ଏହି ଲକ୍ଷ୍ୟରେ ୨୦୩୦ ସୁଦ୍ଧା ଭାରତକୁ ଏକ ବିଶ୍ଵ ଡ୍ରୋନର ହବ୍ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଅନୁପ୍ରାଣିତ ହୋଇ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃଷକମାନଙ୍କର ଆଗ୍ରିଡ୍ରୋନର ବିଭିନ୍ନ ଦିଗ ଉପରେ ସାମଗ୍ରିକ ଧାରଣା, ମନୋଭାବ ଏବଂ ଜ୍ଞାନ ସ୍ତରର ମୂଲ୍ୟାଙ୍କନ ପାଇଁ ଆଇସିଏଆର୍‌ର ବୈଜ୍ଞାନିକ ମାନେ ୧୩୯୮ କୃଷକଙ୍କ ତଥ୍ୟାଦିକୁ ବିଶ୍ଳେଷଣ କରିଥିଲେ । ଅଧିକାଂଶ କୃଷକ ଆଗ୍ରି ଡ୍ରୋନ ପ୍ରତି କୃଷି ଅନୁକୂଳ ମନୋଭାବ ପୋଷଣ କରିବା ସହ ଡ୍ରୋନ କୃଷି ପାଇଁ ବହୁ ଉପଯୋଗୀ ବୋଲି ଅନୁଭବ କରି ପାରିଛନ୍ତି । ତେଣୁ ଏହି ଡ୍ରୋନ ଟେକ୍ନୋଲୋଜିକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଦକ୍ଷତା ବିକାଶ ସଚେତନତା, ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନୀତି ନିର୍ମାତା ଓ ଅନୁସନ୍ଧାନକାରୀମାନେ ପରାମର୍ଶ ଦେଇଛନ୍ତି । ଏହିପରି ପଦକ୍ଷେପ ଗ୍ରହଣ କରାଗଲେ ୨୦୩୦ ସୁଦ୍ଧା ଭାରତକୁ ବିଶ୍ଵ ଡ୍ରୋନ ହବ୍ କରିବାର ଦୂରଦୃଷ୍ଟି ହାସଲ କରିବା ପାଇଁ କୃଷି ସମ୍ପ୍ରଦାୟକୁ ଏକତ୍ରିତ କରିବାରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ରେ କହିଛନ୍ତି । ଚାଷୀମାନଙ୍କ ଏହି ଭିଡ଼ିଓ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କେଭିକେ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼. ସଞ୍ଜୟ କୁମାର ମହାନ୍ତି, ମତ୍ସ୍ୟ ବୈଜ୍ଞାନିକ ଡ଼. ଅମ୍ବିକା ପ୍ରସାଦ ନାୟକ, ଗୃହବିଜ୍ଞାନୀ ଡ଼. ସୁମିତା ଆଚାର୍ଯ୍ୟ, ଯାନ୍ତ୍ରିକରଣ ବୈଜ୍ଞାନିକ ଡ଼. ଦୀପସିକା ପରମଜିତା ସମ୍ପ୍ରସାରଣ ବୈଜ୍ଞାନିକ ସୋନିତା ରାଣୀ ସେଠି ପ୍ରମୁଖ ଯୋଗଦେଇ ‘ମନ୍‌ କି ବାତ୍‌’ର ସମୀକ୍ଷା କରି ବୁଝାଇଥିଲେ । କାର୍ଯ୍ୟାଳୟ କର୍ମଚାରୀ ବିଭୂପ୍ରସାଦ ଦାଶ, ପୁଷ୍ପାଞ୍ଜଳି ମିଶ୍ର ଓ ବ୍ରଜ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.