csstore

ପାଟଣାଗଡ଼ ଜବାହାରଲାଲ ନେହେରୁ ମହାବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଅଶୋକ ବାଗ) : ପାଟଣାଗଡ଼ ଉପଖଣ୍ଡ ଗଙ୍ଗାସାଗର ତୋଟାର ଏକ ଗଛରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଡୁମେରପିଟା ଗାଁର ଜ୍ୟୋତିଷ ଦଣ୍ଡସେନାଙ୍କ ଝିଅ ରଞ୍ଜୁ ଦଣ୍ଡସେନା(୨୦) । ସେ ପାଟଣାଗଡ଼ ଜବାହରଲାଲ ନେହେରୁ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଶେଷ ବର୍ଷ ପାଠ ପଢୁଥିବା ବେଳେ କାଦୋପଡାର ଏକ ଭଡ଼ା ଘରେ ରହୁଥିଲେ । ରବିବାର ଦିନ ସକାଳ ୯ଟାରେ ଗଙ୍ଗାସାଗର ଗ୍ରାମର ଆମ୍ବ ତୋଟା ଠାରେ ଲୋକମାନେ ଏକ ସ୍କୁଟି ନଂ ଓଡି ୦୩ ଭି ୧୧୯୯ ଛିଡ଼ା ହୋଇଥିବାରୁ ସ୍କୁଟି କାହାର ବୋଲି ଖୋଜିଲା ପରେ ଗୋଟିଏ ପଲାସ ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଓ ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳକୁ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ତହସିଲଦାର ଲକ୍ଷ୍ମଣ ମାଝୀ, ଥାନା ଅଧିକାରୀ ଅନନ୍ତ ପ୍ରଧାନ ସଦଳବଳେ ପହଞ୍ଚିଥିବା ବେଳେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ କରି ମହିଳାଙ୍କ ପରିଚୟ ପାଇଥିଲେ । ପରେ ଦେଓଗାଁ ଥାନାକୁ ଯୋଗାଯୋଗ କରି ଉକ୍ତ ମୃତ ମହିଳାଙ୍କ ବାପା ମା’ଙ୍କୁ ଡକାଯାଇଥିଲା । ବାପା ମା’ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ଝିଅର ମୃତ ଶରୀରକୁ ପାଟଣାଗଡ଼ ଅଣାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଥିବା ଜଣାଯାଇଛି । ଏନେଇ ମୃତକଙ୍କ ପିତାମାତା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ମା’ ବାପାଙ୍କ ବୟାନ ଅନୁସାରେ ତାଙ୍କ ଝିଅ ଶାନ୍ତ ପ୍ରିୟ ଥିବାରୁ ସେ କାହା ସହିତ ଝଗଡ଼ା କରୁନଥିଲେ । ଏନେଇ ପାଟଣାଗଡ଼ ଥାନା ୟୁ ଡି କେସ ନଂ ୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.