jayashree

ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି । ଚଳିତ ମାସରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣଙ୍କୁ ଟଙ୍କିକିଆ ଏବଂ ମାଗଣା ପ୍ରଦାନ କରାଯାଉଥିବା ଚାଉଳରେ ଅଧିକ ପ୍ଲାଷ୍ଟିକ ଚାଉଳ ଥିବା ବିଞ୍ଚଣାପାଲି ଗ୍ରାମର ଜଣେ ହିତାଧିକାରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉକ୍ତ ପଞ୍ଚାୟତ ପିଇଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ଜିଲ୍ଲା ଉଚ୍ଚ ପ୍ରଶାସନକୁ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଏହି ଘଟଣା ନୂଆ ନୁହେଁ ପୂର୍ବରୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ. ୮ ପୁଇଁତୋଳା ଗ୍ରାମରେ ମଧ୍ୟ ପ୍ଲାଷ୍ଟିକଯୁକ୍ତ ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଭଳି ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ଘଟଣା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନଥିବାରୁ ଏଥିରେ ସନ୍ଦେହ ଉପୁଜୁଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ । କିଛି ମିଲର ଏବଂ ପ୍ରଶାସନର ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଘଟଣା ଘଟୁଥିବା ଦାବୀ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ବର୍ତ୍ତମାନ ଏହି ଘଟଣାର ସଠିକ ତଦନ୍ତ ହେବ ନା ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଘଟଣାକୁ ଏଡାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.