ଆଜି ୩୦ଟି ଜିଲ୍ଲାର ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଦାବୀପତ୍ର ପ୍ରଦାନ କରାଯିବ

• କନିଷ୍ଠ ସହାୟକଙ୍କ ଯୋଗ୍ୟତା ଭିତ୍ତିରେ ଲେଭେଲ-୯କୁ ଦରମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦାବୀପତ୍ର
• ଦାବୀ ପୂରଣ ନ ହେଲେ ରାଜ୍ୟବ୍ୟାପି କଳା ବ୍ୟାଜ୍‌ ପରିଧାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ସାମୁହିକ ଛୁଟିରେ ଯିବେ ବୋଲି ଅମଲା ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ରାଜ୍ୟର ୩୦ଟି ଜିଲ୍ଲାର ସଦରମହକୁମାରେ ଜିଲ୍ଲାପାଳମାନଙ୍କୁ ସମସ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ଅମଲା ସଂଘର ସଭାପତି, ସମ୍ପାଦକ ତଥା ଅମଲା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ । ଏନେଇ ଗତ ଅପ୍ରିଲ ୯ ତାରିଖରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନଠାରେ ସମସ୍ତ ଜିଲ୍ଲାର ଅମଲା ସଂଘ ମିଳିତ ମଞ୍ଚର ବୈଠକ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡ଼ିଶା ଟ୍ରେଜରୀ ଅମଲା ସଂଘ, ଓଡ଼ିଶା ସବରେଜିଷ୍ଟାର୍‌ ଅମଲା ସଂଘର କର୍ମକର୍ତ୍ତା ମିଳିତ ମଞ୍ଚ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି । ସମସ୍ତ ଜିଲ୍ଲାର ଅମଲାମାନେ ନିର୍ଯାତିତ ଅବସ୍ଥାରେ ନିଜର ଚାକିରିକାଳ କରି ଜୀବନ ବିତାଉଛନ୍ତି ବୋଲି ମିଳିତ ମଞ୍ଚ ଅମଲା ସଂଘ ପକ୍ଷରୁ ଉଦ୍‌ବେଗ ଓ କ୍ଷୋଭ ପ୍ରକାଶ ପାଇଛି । ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନିଷ୍ଠ ସହାୟକଙ୍କ ଯୋଗ୍ୟତା ଭିତ୍ତିରେ ଲେଭେଲ-୯କୁ ଦରମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦାବୀ ହୋଇଛି । ଏହି ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ ପରେ ରାଜ୍ୟ ସରକାର ଯଦି ଦାବୀ ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ଏ କ୍ଷେତ୍ରରେ ଯଦି ନୀରବ ରୁହନ୍ତି, ତେବେ ଆସନ୍ତା ତା.୨୨/୦୫/ ୨୦୨୩ ରିଖ ଠାରୁ ତା.୩୧/୦୫ /୨୦୨୩ ରିଖ ପର୍ଯ୍ୟନ୍ତ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପି ସରକାରଙ୍କ ଅବିଚାରର ପ୍ରତିବାଦ ନେଇ କଳା ବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବେ । ତଥାପି ସରକାର କୌଣସି ବିଚାର ନ କରନ୍ତି, ତେବେ ତା.୧/୦୬/୨୦୨୩ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ସମସ୍ତ ସରକାରୀ କର୍ମଚାରୀମାନେ ସାମୁହିକ ଛୁଟିରେ ଯିବେ ବୋଲି ଅମଲା ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.