ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ହଲନଭଟା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଅବର୍ଣ୍ଣ ପ୍ରଧାନଙ୍କ କହିବା ଅନୁସାରେ ବିଜୁ ପକ୍କାଘର ଯୋଜନାରେ ଘର ତିଆରି କରି ବର୍ଷେ ପୁରି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପଇସା ମିଳିନଥିବା ବେଳେ ମିଳିଥିବା ୪୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଜିଆର୍‌ଏସ୍‌ ପ୍ରତାପ ମେହେର୍ ନେଇଛନ୍ତି । ଅନ୍ୟପକ୍ଷରେ ଜିଆର୍‌ଏସ୍‌ଙ୍କ ଏହି କାର୍ୟ୍ୟକଳାପକୁ ନେଇ ହଲନଭଟା ଗ୍ରାମ ପଞ୍ଚାୟତରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୁହାଯାଇଛି ଯେ, ଶ୍ରୀ ମେହେର ପ୍ରତ୍ୟେକ କାମ ପାଇଁ ଲାଞ୍ଚ ମାଗିଥାନ୍ତି, ନୂଆ ଜବକାର୍ଡ କରି ଦେବା ପାଇଁ କହିଲେ ଦୁଇ ଶହ ଟଙ୍କା ଦେଲେ ସାଙ୍ଗେ ସାଙ୍ଗେ ଜବ କାର୍ଡ ତିଆରି କରାଯାଇଥାଏ । ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଲ୍ ପାଇଁଁ ଯେତେ ଥର ଜିଓଟେଗ୍ ନିଆଯାଇଥାଏ ପ୍ରତ୍ୟେକ ଥର ପାଇଁ ପାଞ୍ଚ ଶହ ଟଙ୍କା ହିସାବରେ ଟଙ୍କା ନେଇଥାନ୍ତି । ବର୍ତ୍ତମାନ ନୂଆ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ଲିଷ୍ଟ ଘର ପିଛା ଦଶ ହଜାର ଟଙ୍କା ସଂଗ୍ରହ କରୁଥିବା ଓ ଟଙ୍କା ନ ଦେଲେ କିମ୍ବା କାହା ଆଗରେ କହିଲେ ଲିଷ୍ଟରୁ ନାମ କାଟିଦେବା ଧମକ ଦିଅନ୍ତି ବୋଲି ବୈଠକରେ ଅଭିଯୋଗ ହୋଇଛି । ଗାଁ ସାଥୀମାନଙ୍କ ସହିତ ମିଶି ମନରେଗା ପାଉଣା, କାମ କରୁନଥିବା ଲୋକଙ୍କ ନାମରେ ପାଉଣା ପକାଇ ଭାଗ ବଣ୍ଟା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଜିଆର୍‌ଏସ୍‌ ତୁରେକେଲା ଓ କୁଇବାହାଲ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସେ ହଲନଭଟା ଗ୍ରାମ ପଞ୍ଚାୟତ ଓ ମହୁଲପାଟି ଗ୍ରାମ ପଞ୍ଚାୟତର ଦାୟିତ୍ଵରେ ରହିଛନ୍ତି । ସରପଞ୍ଚ ରଶ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଆର୍‌ଏସ୍‌ଙ୍କ ବିରୁଦ୍ଧରେ ଆଗତ ବିଭିନ୍ନ ଦୂର୍ନୀତି ଅଭିଯୋଗ ନେଇ ଆଲୋଚନା କରାଯାଇଥିଲା । ତାଙ୍କୁ ପଞ୍ଚାୟତରୁ ହଟାଇବାକୁ ୱାର୍ଡ ସଦସ୍ୟ, ଗାଁ ସାଥୀମାନେ ଦାବୀ କରିଥିଲେ । ସେ ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କଠାରୁ ଲାଞ୍ଚ ନେଉଥିବା ସେମାନେ କହିଥିଲେ । ଫଳରେ ଏହି ବୈଠକରେ ରିଜୁଲ୍ୟୁସନ୍ ମଧ୍ୟ ଲେଖା ଯାଇଥିଲା । ଶୀଘ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କଠାରୁ ଅନୁମତି ନେଇ ଅଭିଯୁକ୍ତ ଜିଆର୍‌ଏସ୍‌ ପ୍ରତାପ ମେହେରଙ୍କୁ ପଞ୍ଚାୟତରୁ କାଢି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସରପଞ୍ଚ କହିଛନ୍ତି । ଏହି ବୈଠକରେ ସମିତି ସଭ୍ୟା ଧନମତି ଖୁରା, ନିର୍ବାହୀ ଅଧିକାରୀ ଜୟସିଂ ମେହେର, ନାଏବ ସରପଞ୍ଚ କୃତିବାସ ହଂସ, ଗାଁ ସାଥୀ ଦଲଗଦନ ସାହୁ, ଦେବେନ୍ଦ୍ର ସାହୁ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.