ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼ : ଓଡଗାଁ ରାମ ନବମୀ ଯାତ୍ରା ଦେଖି ବାଇକ୍‌ ଯୋଗେ ୩ ଜଣ ଯୁବକ ଫେରୁଥିବା ବେଳେ କୋମଣ୍ଡ ପଥରା ସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛରେ ବାଇକ୍ ପିଟି ହୋଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ(୨୦), ସୂର୍ଯ୍ୟକାନ୍ତ ପ୍ରଧାନ(୧୯) ଓ ରାଜେଶ ନାୟକ(୧୯) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ଓଡ଼ଗାଁରୁ ଘରୁ ବାହାରି ଶ୍ରୀରାମ ନବମୀ ଯାତ୍ରା ଦେଖିବା ପାଇଁ ଆସିଥିଲେ । ଯାତ୍ରା ଦେଖି ବିଳମ୍ବିତ ରାତିରେ ବାଇକ୍‌ ଯୋଗେ ଘରକୁ ଫେରୁଥିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାଖରେ ଥିବା ଏକ ବରଗଛକୁ ବାଇକ୍ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ୩ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.