ନବ ଦାସ ହତ୍ୟାକାଣ୍ଡ ତଦନ୍ତ ମାମଲା : ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି, ସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି ବୋଲି ସୂଚନା ଅଧିକାର ଆଇନ ଯୋଗେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଓଡିଶା ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ତଥା ଏଡିସନାଲ ଡେପୁଟି ରେଜିଷ୍ଟ୍ରାର(ଜେଏବଂଇ) ନିର୍ମଳେନ୍ଦୁ ଜୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଗତ ଜାନୁୟାରୀ ୩୦ରେ ଚିଠି ନଂ ୭୬/ସି ମାଧ୍ୟମରେ ମାନ୍ୟବର ହାଇକୋର୍ଟଙ୍କୁ ଚିଠି ଲେଖି ହାଇକୋର୍ଟର ଜଣେ କାର୍ଯ୍ୟରତ କିମ୍ବା ଅବସର ପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଓ ସେସନ୍ସ ଜଜଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ତଦାରଖ କରିବା ପାଇଁ ନିବେଦନ କରିଥିଲେ । ଏହି ଚିଠିକୁ ଭିତ୍ତି କରି ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ମନୋନୀତ କରିଥିବା କଥା ଫେବୃୟାରୀ ୧ରେ ଚିଠି ନଂ ୦୩/ଆର ଜି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜଣାଇ ଦେଇଥିଲେ । ଏଠାରେ ଉଲ୍ଲେଖଯାଗ୍ୟ ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରୀ ୨୯ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିଲା । ତା’ ପରଦିନ ଅର୍ଥାତ୍ ୩୦ ଜାନୁଆରୀ ଦିନ ରାଜ୍ୟ ସରକାର କାଇକୋର୍ଟଙ୍କୁ ଅନୁରୋଧ ପତ୍ର ଦେଇଛନ୍ତି ଓ ଫେବୃୟାରୀ ୧ ତାରିଖ ଦିନ ଅବସରପ୍ରାପ୍ତ ବିଚାରପତି ଶ୍ରୀ ଦାସଙ୍କୁ ମନୋନୀତ କରିଥିବା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ଜଣାଇ ଦିଆଯାଇଛି । ଏସବୁ ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ସ୍ପଷ୍ଟ ଦିବାଲୋକରେ ସରକାରୀ ବନ୍ଧୁକରୁ ଜଣେ ପୁଲିସ କର୍ମଚାରୀ ମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଥିଲେ କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପରଦିନ ହିଁ ତଦନ୍ତକୁ ତଦାରଖ କରିବା ପାଇଁ ନିବେଦନ କରିଥିଲେ ବୋଲି ତଥ୍ୟରୁ ଜଣାପଡୁଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ତେଣୁ ତଦନ୍ତକୁ ହାଇକୋର୍ଟ ମନିଟର୍ଡ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ପ୍ରଶ୍ନ କରାଯାଇ ନପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପୂର୍ବରୁ ନୟାଗଡ ଯଦୁପୁରର କୋମଳମତି ଶିଶୁ ପରୀ ହତ୍ୟାକଣ୍ଡର ତଦନ୍ତକୁ ହାଇକୋର୍ଟ ମନିଟର୍ଡ ବୋଲି ମିଛ ପ୍ରଚାର କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିବା କଥା ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡା ପ୍ରଥମେ ଗଣମାଧ୍ୟମରେ ହାଇକୋର୍ଟଙ୍କ ପ୍ରଦତ୍ତ ତଥ୍ୟ ପ୍ରଦାନ କଲା ପରେ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

error: Content is protected !!