ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ

ବେଲପଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ସଲଣ୍ଡି ପଞ୍ଚାୟତ ଲଥାକେନ୍ଦ୍ ଗାଁର ଜଣେ ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ । ସୂଚନାଯୋଗ୍ୟ ଯେ, ବେଲପଡା ବ୍ଲକ ଲଥାକେନ୍ଦ୍ ଗାଁର ଦେବାର୍ଚ୍ଚନ ହଂସଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବୁଡୁ ହଂସ(୫୭) ଅସହାୟ ଅବସ୍ଥାରେ ଥିବା ନେଇ ଖବର ପାଇ ତାଙ୍କ ନିକଟରେ ଆଜି ରାଜ୍ୟ ଯୁବ ବିଜେଡି ସଂପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ ପହଞ୍ଚି କିଛି ଆର୍ଥିକ ସହାୟତା କରିବା ସହିତ ଶୁଖିଲା ଖାଦ୍ୟ ଦେବା ସହ କିପରି ଭାବେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସହାୟତା ପାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ହେବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଭଲ ଘରଟିଏ ନ ଥିବାରୁ ବର୍ଷା ଓ ଶୀତ ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଖାଲି ଭତ୍ତା ବାବଦକୁ ୫ଶହ ଟଙ୍କା ଓ ମାସକୁ ୫ କିଲୋ ଚାଉଳ ମିଳୁଥିବା ଜଣାପଡ଼ିଛି । ବୃଦ୍ଧା ଜଣକ ବାଟରେ ଯାଉଥିବା ବେଳେ ଗୋଡ଼ ଖସି ଭାଙ୍ଗି ଯାଇଥିବା ଯୋଗୁଁ ଆଉ ଚାଲି ବୁଲି ପାରୁନାହାନ୍ତି । ପୂର୍ବରୁ ସେ କଣ୍ଟାବାଞ୍ଜିରେ କୁଲି ମଜୁରୀ କରି ପେଟ ପୋଶୁ ଥିଲେ । ହେଲେ ଗୋଡ଼ ଅଚଳ ହେବାରୁ ସେ ଗୋଟିଏ ସ୍ଥାନରେ ମଳ ଓ ପରିସ୍ରା କରିଦେଉଛନ୍ତି । ଏହି ଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ହୁଇଲ୍‌ ଚେୟାର ଓ ଘର ଗୋଟିଏ ଯୋଗାଇ ଦେଲେ ସେ ଭଲରେ ରହିବେ ବୋଲି ଆଶା କରିଛନ୍ତି । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଯୋଶୀ କହିଛନ୍ତି । ତେବେ ଏହି ଭଳି ଅସହାୟଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗ କରୁଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.