pakka

ବାପାର ମୃତ୍ୟୁ ପରେ ମାଆଙ୍କ ଉପରେ ୪ ଝିଅଙ୍କ ବୋଝ : ଭଗବାନ ହିଁ ସାହା ଭରସା

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜୋନ୍ ଝରିଆଲ ପଞ୍ଚାୟତ ବାହାବଲ ଗ୍ରାମର ନରହରି ବାଗଙ୍କ ପରିବାର ୮ ମାସ ତଳେ ବେଶ ହସଖୁସିରେ ଚଳୁଥିଲା । ପରିବାର କହିଲେ ନିଜ ଧର୍ମପତ୍ନୀ ପୁଷ୍ପାଞ୍ଜଳି(୩୨)ଙ୍କ ସହ ୪ ଝିଅ ସାଏବତୀ(୧୪), ତୃପ୍ତି(୧୨), ଭାଗ୍ୟ(୧୦) ଓ ଦୁର୍ମୀଲା(୮) । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସୂଚନା ଅନୁସାରେ ଗତ ନୂଆଁଖାଇର କିଛିଦିନ ଆଗରୁ ନରହରି ବାଗ ମୃତ୍ୟୁବରଣ କରିଥିଲେ । ଏହାପରେ ପରିବାର ଉପରେ ଚଡକ ପଡିଥିଲା । ସ୍ତ୍ରୀ ପୁଷ୍ପାଞ୍ଜଳିଙ୍କ ପାଦତଳୁ ମାଟି ଖସିଯାଇଥିଲା । ଚାରୋଟି ଛୋଟ ଛୋଟ ପୁଅଝିଅଙ୍କ ପେଟ ଚଳାଇବା ଓ କେମିତି ପାଠ ପଢାଇ ଛୁଆମାନଙ୍କୁ ମଣିଷ କରିବେ ଏହାକୁ ନେଇ ସେ ଏବେ ଘୋର ଚିନ୍ତାରେ । ସ୍ୱାମୀ ନରହରି ବଞ୍ଚିଥିବା ବେଳେ ଦିନମଜୁରିଆ କାମ କରି ପରିବାର ପ୍ରତିପୋଷଣ କରି ବେଶ ଆରାମରେ ଚଳି ଯାଉଥିଲେ । କିନ୍ତୁ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ପାଇଁ ପୁଷ୍ପାଞ୍ଜଳି ଦିନ ମଜୁରି କରି ବହୁ କଷ୍ଟରେ ଛୁଆମାନଙ୍କ ପାଇଁ ଦି ମୁଠା ଖାଦ୍ୟ ଯୋଗାଡ କରୁଥିବା କହିଛନ୍ତି । ପୁଷ୍ପାଞ୍ଜଳି ସରକାରୀ ସୁବିଧା କହିଲେ କେବଳ ପରିବାରର ୫ ଜଣଙ୍କୁ ୨୫ କେଜି ଚାଉଳ ବ୍ୟତିତ ଆଉ କିଛି ମିଳୁନଥିବାରୁ ପୁଷ୍ପାଞ୍ଜଳିଙ୍କୁ ସରକାରଙ୍କ ମହିଳା ସଶକ୍ତିକରଣ ଅନୁଯାଇ ପଞ୍ଚାୟତ ଲେଭେଲରେ କୌଣସି ଏକ ବିଭାଗରେ ସ୍ଥାୟୀ ହେଉ ଅବା ଅସ୍ଥାୟୀ କାମରେ ନିଯୁକ୍ତି ଯୋଗାଇ ଦେବା, ବିଧବା ଭତ୍ତା ପ୍ରଦାନ କରିବା, ଚାରି ଝିଅଙ୍କୁ ପାଠ ପଢାଇବା ପାଇଁ ସୁବିଧା ଓ ରେଡକ୍ରସ୍‌ ଫଣ୍ଡରୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ଚାରି ଝିଅଙ୍କ ସହ ମା’ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ପୁଷ୍ପାଞ୍ଜଳିଙ୍କ ସହ ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ତେବେ ଏହାକୁ ନେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ପ୍ରତିକ୍ରିୟା ନେବାରୁ ପୁଷ୍ପାଞ୍ଜଳି ଯଦି ଏସଏଚଜି ମେମ୍ବର ଅଛନ୍ତି ତେବେ ତାଙ୍କୁ ରିଭଲଭିଙ୍ଗ ଫଣ୍ଡରୁ ସାହାଯ୍ୟ କରିହେବ । ସେଥିପାଇଁ ବାହାବଲକୁ ଓଏଲଏମ ବିଭାଗର କର୍ମଚାରୀଙ୍କୁ ପଠାଯିବ ଏବଂ ତାଙ୍କ ବିଧବା ଭତ୍ତା ଗ୍ରାଣ୍ଟ ହୋଇଯାଇଛି । ଶୀଘ୍ର ତାଙ୍କୁ ପ୍ରଦାନ କରାଯିବ ଓ ଝିଅମାନଙ୍କୁ ମଧ୍ୟ ବାହାରେ ପାଠ ପଢାଇବା ପାଇଁ ପରିବାରକୁ ଭେଟିବା ପରେ ସେମାନେ ରାଜି ହେଲେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏ ବିଷୟରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ କହିଛନ୍ତି ଯେ, ଏହି ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

8 − 3 =