ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଇତିହାସ ବିଭାଗର ଆନୁକୂଲ୍ୟରେ ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ ୨୦୨୩ର ଓଡିଶା ଜନଜାତିଙ୍କ ସାଂସ୍କୃତିକ ଜୀବନ : ସେମାନଙ୍କ କଳା ଓ କାରିଗରି ବିଦ୍ୟା, ଏକ ଅବଲୋକନ ସଂପର୍କରେ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଗୌରୀଶଙ୍କର ପଟେଲ ମୁଖ୍ୟଅତିଥି, ଓଡ଼ିଶା ଇତିହାସ କଂଗ୍ରେସର ପ୍ରାକ୍ତନ ସଭାପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଓ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡଃ ହରିହର ପଣ୍ଡା, ସଂପାଦକ ଡଃ ସୁବାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ତରଣୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଶାର ଜନଜାତିମାନଙ୍କର ସାଂସ୍କୃତିକ ଜୀବନ ତଥା ସେମାନଙ୍କ କଳା କାରିଗରି ବିଦ୍ୟା ବେଶ ସମୃଦ୍ଧ । ମାତ୍ର କେତୋଟି କାରଣ ପାଇଁ ସେମାନଙ୍କ ଏହି କାରିଗରି ଲୋକଲୋଚନକୁ ଆସି ପାରୁନାହିଁ । ଯଦିଓ ସଂପ୍ରତି ଏହା ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି ତେବେ ଏ ସଂପର୍କରେ ଅଧିକ ଆଲୋଚନା ପର୍ଯ୍ୟାୟଲୋଚନାର ଆବଶ୍ୟକତା ରହିଛି । ଏଥିପାଇଁ ସେମାନଙ୍କ ଜନଜୀବନକୁ ଠିକ୍ ଭାବେ ଅନୁଧ୍ୟାନ କରି ପୁସ୍ତକ ପ୍ରକାଶ କରାଗଲେ ତାହା ବ୍ୟାପକ ହୋଇପାରନ୍ତା । ଏହି ଅବସରରେ ଜନଜାତି ବ୍ୟବହାର କରୁଥିବା ବିଭିନ୍ନ ଅଳଙ୍କାର, ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ପ୍ରଦର୍ଶନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଟେକ୍ନିକାଲ୍ ସେସନରେ ଡଃ ପ୍ରମିଳା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିରଞ୍ଚି ନାରାୟଣ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଫଳତା ଓ ଗାନ୍ଧି ମହାବିଦ୍ୟାଳୟର ପ୍ରଫେସର ଡଃ ଯାଜ୍ଞସେନୀ ଛତ୍ରିଆ ପ୍ରୋଜେକ୍ଟର ମାଧ୍ୟମରେ ଭୂୟାଁ ଜାତିର ସଂସ୍କୃତି, ଚଳଣି ଓ ଜନଜୀବନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପିକା ସ୍ବାତିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ଓ ସଂଯୋଜକ ଶ୍ରୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମୌସୁମୀ ଦାସ, ଶର୍ମିଷ୍ଠା ସିଂହ, ସୁଚିସ୍ମିତା ପ୍ରଧାନ, ଅନାମିକା କୁଲୁ, ରାଜଦୀପ ସୋରେଙ୍ଗ, ଡଃ ମମତା ନାୟକ, ଭାରତୀ ବରୱାଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀ ଗୀତା ମୁଣ୍ଡାରୀ, ସୁଜାତା ଟୁଡୁ, ପୂଜା ସାହା, ସ୍ନେହା କୁମାରୀ ଓ ସୁଶ୍ରୀ ଅଞ୍ଜିଲା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିଲେ ।