ବିବାହ କରିବାକୁ ଯାଉଥିବା ବରଗାଡ଼ି ତଳେ ଚାପିହୋଇ ଜଣଙ୍କ ମୃତ୍ୟୁ : ୧୦ ଗୁରୁତର, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ ବରଯାତ୍ରୀ ପାଇଁ ଘରୁ ବାହାରି ନିଜ ଗ୍ରାମରେ ପ୍ରୋସେସନ୍‌ କରିଥିଲେ । ସେହି ସମୟରେ ଡ୍ରାଇଭର ଦୁର୍ଯ୍ୟୋଧନ ନାଗ ନିଶାସକ୍ତ ଅବସ୍ଥାରେ ଗାଡିକୁ ଲୋକଙ୍କ ଉପରେ ଚଢାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ଅଣାଯାଇଥିଲା । ପରେ କିଛି ଆହତଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୃତକଙ୍କ ନାମ ରାଜ ବରିହା(୫୨) ଓ ସେ ବାଗଝରନ ଗ୍ରାମର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରି ଅଭିଯୁକ୍ତ ଡ୍ରାଇଭର ସହିତ କାର୍‌କୁ ଖପ୍ରାଖୋଲ ଥାନାକୁ ଆଣିଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ପାଇଁ ଡ୍ରାଇଭରକୁ ପଚରାଉଚରା କରାଯାଉଥିବା ଖପ୍ରାଖୋଲ ଏସଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.