ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ସେନାପତି

ବାଲେଶ୍ଵର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡିଛି । ପୁରୀ, ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀର ହରିଚଣ୍ଡୀ ସାହିର ଦାମୋଦର ରୋଡ, ମଦନମୋହନ ଲେନରେ ଅବସ୍ଥିତ ଅଜୟ କୁମାର ସେନାପତିଙ୍କ ଆବାସିକ ଘର, ବାଲେଶ୍ୱରର ସରକାରୀ କ୍ୱାର୍ଟର, ଅନନ୍ ପାମ୍ ବିଚର ଦ୍ୱିତୀୟ ମହଲାରେ ଥିବା ୨୦୬୩ ନମ୍ବର ଫ୍ଲାଟ୍, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର ଆଣ୍ଡ ବି) ଡିଭିଜନ୍-୨, ବାଲେଶ୍ୱରରେ ଥିବା ଶ୍ରୀ ସେନାପତିଙ୍କ ଅଫିସ୍ ରୁମ୍, ଖୋର୍ଦ୍ଧାର ବାଲୁଗାଁରେ ଦୁଇ ମହଲା କୋଠା, ବାଣପୁରର ଭାଗବତ ସାହିରେ ଥିବା ପୈତୃକ ଘର, ଟଟାଙ୍ଗୀରେ ଥିବା ଶ୍ରୀ ସେନାପତିଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି ।

ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ଅନୁସାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି । ଚଢ଼ାଉରେ ୪ ଡିଏସପିଙ୍କ ସମେତ ୧୦ ଇନସ୍ପେକ୍ଟର, ୨ ସବ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି ।

Leave A Reply

Your email address will not be published.